
- ହ୍ରାସ ପାଉଛି କାର୍ଯ୍ୟଦିବସ – ହେମନ୍ତ ପଣ୍ଡା
ବଲାଙ୍ଗିର, (କେପିଏନ୍ଏସ୍) : ଗତ ୯ କ୍ୟାଲେଣ୍ଡର ବର୍ଷରେ ମାତ୍ର ୩୫୪ ଦିନ ଚାଲିଛି ବିଧାନ ସଭା । ସମ୍ବିଧାନର ୧୭୪ ଧାରା ଅନୁଯାୟୀ ବର୍ଷକ ତିନୋଟି ଅଧିବେଶନରେ ଅନ୍ତତଃ ୬୦ ଦିନ ବିଧାନସଭା ଚାଲିବା କଥା । ଗୃହର ସମ୍ମତିରେ ଏହାକୁ ହ୍ରାସ କରାଯାଇପାରେ ବୋଲି ସୂଚନା ଅଧିକାର ଆଇନ ବଳରେ ବଲାଙ୍ଗିରର ବିଶିଷ୍ଟ ସୂଚନା କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ବିଧାନସଭା ସଚିବାଳୟରୁ ମିଳିଥିବା ତଥ୍ୟରୁ ଏହା ଜଣାପଡିଛି । ଯଦି ବର୍ଷକ ଅନ୍ୟୁନ ୬୦ ଦିନ ବିଧାନସଭା ଚାଲିଥାନ୍ତା ତାହାହେଲେ ଏହି ୯ ବର୍ଷରେ ୫୪୦ ଦିନ ହୋଇଥାନ୍ତା । ବିଧାନସଭା ସଚିବାଳୟ ପକ୍ଷରୁ ଯୁଗ୍ନ ସଚିବ ତଥା ଅପିଲ ଅଧରକାରୀଙ୍କ ପତ୍ର ସଂଖ୍ୟା ଏଲ ଏ ପି ଆଇ ତ୍ତ୍ୱଓ/୭୩/୨୦୨୬/୭୬୯୯/ଏଲ ଏ ରୁ ଜଣାପଡିଛି ଯେ, ପଞ୍ଚଦଶ ବିଧାନସଭାର ନବମ ଅଧିବେଶନରୁ ତଥା ୨୨ ଫେବୃୟାରୀ ୨୦୧୭ ମସିହାରୁ ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ପର୍ଯ୍ୟନ୍ତ ତଥା ୨୭ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ସମୁଦାୟ ୯ଟି ଅଧିବେଶନରେ ସବୁଠାରୁ କମ୍ କାର୍ଯ୍ୟ ଦିବସ ୨୦୨୩ ମସିହା ତଥା ଷୋଡଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନରେ ୨୧ ନଭେମ୍ବରରୁ ୨୪ ନଭେମ୍ବର ପର୍ଯ୍ୟନ୍ତ ମାତ୍ର ୪ ଦିନ ଅନୁଷ୍ଠିତ ହୋଇଥିଲା । ଗତ ୯ କ୍ୟାଲେଣ୍ଡର ବର୍ଷରେ ଏହା ସବୁଠାରୁ କମ୍ ଅବଧିର ଅଧିବେଶନ ଥିଲା ବୋଲି ତଥ୍ୟରୁ ଜଣାପଡିଥିବା ଶ୍ରୀ ପଣ୍ଡା କହିଛନ୍ତି । ଏହି ସମୟ ମଧ୍ୟରେ ସବୁଠାରୁ ଅଧିକ ଦିନ ଚାଲିଥିବା ଅଧିବେଶନ ୨୦୧୮ ଓ ୨୦୨୧ ମସିହାର ବଜେଟ ଅଧିବେଶନ ଥିଲା । ଏହା ୨୬ ଦିନ ଲେଖାଏଁ ଚାଲିଥିଲା । ଗତ ୪ ବର୍ଷରେ ଯଥା- ୨୦୨୨ ମସିହାରୁ ୨୦୨୫ ମସିହା ପର୍ଯ୍ୟନ୍ତ ବିଧାନସଭା ୧୫୩ ଦିନ ଚାଲିଥିବା ବେଳେ ପୂର୍ବ ୪ ବର୍ଷରେ ଯଥା -୨୦୧୮ ମସିହାରୁ ୨୦୨୧ ପର୍ଯ୍ୟନ୍ତ ୧୫୮ ଦିନ ଚାଲିଥିଲା । ଗତ ୮ ବର୍ଷର ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ, ବିଧାନସଭା କାର୍ଯ୍ୟଦିବସ ଧିରେଧିରେ ହ୍ରାସ ପାଇବାରେ ଲାଗିଛି । ଏହା ଗଣତତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ପଣ୍ଡା କହିବା ସଙ୍ଗେସଙ୍ଗେ କାର୍ଯ୍ୟ ଦିବସ ହ୍ରାସ ହେଲେ ତୃଣମୂଳ ସ୍ତରର ସମାସ୍ୟା ଯଥା କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା, ପ୍ରକୃତିକ ବିପର୍ଯ୍ୟୟ ଇତ୍ୟାଦି ଆଞ୍ଚଳିକ ସମାସ୍ୟାଗୁଡିକ ଉପରେ ଜନପ୍ରତିନିଧିମାନେ ସ୍ୱର ଉତ୍ତୋଳନ କରିବା ପାଇଁ ସୁଯୋଗ ହରାଉଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଅଧିବେଶନଗୁଡିକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ମୁଲତବୀ ରଖାଯିବା ପ୍ରବୃତ୍ତି ସଂସଦୀୟ ପରମ୍ପରା ପାଇଁ କ୍ଷତିକାରକ ବୋଲି ମଧ୍ୟ ସେ କହିଛନ୍ତି । ସମ୍ବିଧାନର ଆତ୍ମାକୁ ସମ୍ମାନ ଦେଇ ଗୃହକୁ ଅନ୍ୟୁନ ବର୍ଷକ ୬୦ ଦିନ ଚାଲୁ ରଖିବା ପାଇଁ ଶ୍ରୀ ପଣ୍ଡା ଶାସକ ଓ ବିରୋଧୀଦଳ ସଦସ୍ୟମାନଙ୍କୁ ପ୍ରେସ ବିବୃତ୍ତି ମାଧ୍ୟମରେ ଅନୁରୋଧ କରିଛନ୍ତି ।