
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକର ପ୍ରସିଦ୍ଧ ଶୈବ ଓ ବୈଷ୍ଣବ ପୀଠ ନୃସିଂହନାଥଠାରେ ମଙ୍ଗଳବାର ପବିତ୍ର ରାସ ପୂର୍ଣ୍ଣିମା ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଥିଲା । ଏହି ଅବସରରେ ପୀଠ ପରିସର ଭକ୍ତିମୟ ଓ ଉତ୍ସବମୁଖର ହୋଇ ଉଠିଥିଲା । ଦୂରଦୂରାନ୍ତରୁ ଆସିଥିବା ଭକ୍ତଙ୍କ ଭିଡ଼ରେ ସାରା ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଥିଲା । ପରମ୍ପରା ଅନୁଯାୟୀ, ଭୋର ସକାଳୁ ଶ୍ରଦ୍ଧାଳୁମାନେ ପୀଠରେ ଥିବା ପବିତ୍ର ଝରଣାରେ ବୁଡ଼ ପକାଇ ସ୍ନାନ କରିବା ପରେ ବୋଇତ ବନ୍ଦାଣ କରିଥିଲେ । ଏହାପରେ ଧାଡ଼ିରେ ଠିଆ ହୋଇ ନୃସିଂହନାଥ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିବାର ଓ ଆତ୍ମୀୟସ୍ୱଜନଙ୍କ ମଙ୍ଗଳ କାମନା କରିଥିଲେ । ସକାଳରୁ ଦିନତମାମ ପୀଠରେ ଭକ୍ତଙ୍କ ଆଗମନ ଜାରି ରହିଥିଲା । ଏହି ପବିତ୍ର ଅବସରରେ ବରଗଡ଼, ବଲାଙ୍ଗିର, ନୂଆପଡ଼ା ଜିଲ୍ଲା ସମେତ ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ନୃସିଂହନାଥ ପୀଠକୁ ଆସିଥିଲେ । ଭକ୍ତମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ଓ ଆଧ୍ୟାତ୍ମିକ ଭାବନା ପରିଲକ୍ଷିତ ହୋଇଥିଲା । ଅନ୍ୟପକ୍ଷରେ, ଭାଗବତତତ୍ୱ ଯୋଗାଶ୍ରମରେ ମଧ୍ୟ ରାସ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଥିଲା । ପୀଠରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ ମନ୍ଦିର କମିଟି ଏବଂ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥା କରାଯାଇଥିଲା ।