jayashree

ଜଙ୍ଗଲ ଭିତରେ ନିଖୋଜ ଯୁବକଙ୍କ ଶବ ଠାବ : ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ସନ୍ଦେହ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରୁ ଆସିଛି ଏକ ଦୁଃଖଦ ଖବର । ଗତ ତିନିଦିନ ହେଲା ନିଖୋଜ ଥିବା ଜଣେ ଯୁବକଙ୍କ ଶବ ଆଜି ଜଙ୍ଗଲ ଭିତରୁ ଠାବ ହୋଇଛି । ଏହା ହତ୍ୟା ନା ଆତ୍ମହତ୍ୟା, ତାକୁ ନେଇ ଏବେ ସନ୍ଦେହ ଘେରରେ ରହିଛି ଗାଁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବିରସିଂହପୁର ଗାଁ ନିକଟ ଜଙ୍ଗଲରେ ଆଜି ଜଣେ ଯୁବକଙ୍କ ଶବ ଠାବ ହୋଇଛି । ମୃତକ ଜଣକ ସେହି ଗାଁର ଚନ୍ଦନ ପଧାନ, ବୟସ ୧୮ ବୋଲି ଜଣାପଡ଼ିଛି । ପରିବାର ଲୋକଙ୍କ କହିବା ଅନୁସାରେ, ଚନ୍ଦନ ଗତ ୨୧ ତାରିଖରୁ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳି ନ ଥିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳେ ଗାଁ ନିକଟ ଜଙ୍ଗଲ ଭିତରେ ତାଙ୍କ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବୀରମହାରାଜପୁର ଆଇଆଇସି ଯଯାତି କେଶରୀ ସାହୁ ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାସ୍ଥଳ ଯାଞ୍ଚ କରିଛନ୍ତି । ଶବ ନିକଟରୁ ଯୁବକଙ୍କ ଚପଲ ଏବଂ ଏକ ବୋତଲ ଉଦ୍ଧାର କରାଯାଇଛି । ଏହାକୁ ନେଇ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିବା ବେଳେ ହତ୍ୟା ସନ୍ଦେହକୁ ମଧ୍ୟ ଏଡ଼ାଇ ଦିଆଯାଇ ନାହିଁ । ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ଏଥିସହ ପରିବାର ଲୋକ ଓ ଗ୍ରାମବାସୀଙ୍କୁ ପଚରାଉଚରା କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ମାତ୍ର ୧୮ ବର୍ଷ ବୟସରେ ଚନ୍ଦନଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି । ପୋଲିସ ତଦନ୍ତ ପରେ ହିଁ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ିବ ।

Leave A Reply

Your email address will not be published.