
- ବୈଦିକ ଜ୍ଞାନର ପ୍ରସାର ଓ ନୂତନ ପୁରୋହିତ ସୃଷ୍ଟି ଉପରେ ଗୁରୁତ୍ୱ
ବଲାଙ୍ଗିର, (କେପିଏନ୍ଏସ୍) : ପୁରୋହିତ ପରମ୍ପରାର ସଂରକ୍ଷଣ, ବୈଦିକ ଜ୍ଞାନର ପ୍ରସାର ଏବଂ ସମାଜରେ ନୂତନ ପୁରୋହିତ ସୃଷ୍ଟି କରିବାର ମହତ୍ ଉଦ୍ଦେଶ୍ୟ ନେଇ ହର୍ଡାଟାଲସ୍ଥିତ ପ୍ରସିଦ୍ଧ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପରିସରରେ ଆୟୋଜିତ ତ୍ରିଦିବସୀୟ ପୁରୋହିତ ପ୍ରଶିକ୍ଷଣ ଶିବିର ଆଜି ଏକ ଭାବଗମ୍ଭୀର ତଥା ଆଧ୍ୟାତ୍ମିକ ପରିବେଶରେ ସମାପନ ହୋଇଯାଇଛି । ପ୍ରଗତିଶୀଳ ଜନଚେତନା ମଞ୍ଚ ଓ ବାବା ବିଶାସେ କୁଲତା ସମାଜ, ବଲାଙ୍ଗିରଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଅଭିନବ ପ୍ରଶିକ୍ଷଣ ଶିବିରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ପ୍ରଶିକ୍ଷାର୍ଥୀ ଯୋଗଦେଇଥିଲେ । ପ୍ରଶିକ୍ଷକ ସୋମଦତ୍ତ ଶାସ୍ତ୍ରୀ ଓ ଆନନ୍ଦ ଶାସ୍ତ୍ରୀଙ୍କଠାରୁ ସେମାନେ ବୈଦିକ ମନ୍ତ୍ର, ପୂଜାବିଧି, ଧାର୍ମିକ ରୀତିନୀତି ଓ ପୁରୋହିତ କାର୍ଯ୍ୟ ସମ୍ପର୍କିତ ବିଭିନ୍ନ ଜ୍ଞାନ ଆହରଣ କରିଥିଲେ । ସମାପନ ସମାରୋହରେ କୁଲତା ସମାଜର ସଭାପତି ବେଲାରସିଂହ ଭୋଇ, ସହରାଞ୍ଚଳ ସମାଜର ପୂର୍ବତନ ସମ୍ପାଦକ ବିଦେଶୀ ପ୍ରଧାନ, ମଞ୍ଚର ଆବାହକ ଅମୀୟ ସାହୁ, ଶାନ୍ତନୁ ବୁଢ଼ିଆ ଏବଂ ଡଃ. ଜ୍ୟୋତିର୍ମୟୀ ପଧାନ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ବକ୍ତାମାନେ କହିଥିଲେ ଯେ, ପୁରୋହିତ କେବଳ ଧାର୍ମିକ କର୍ମକାଣ୍ଡରେ ସୀମିତ ନରହି ସମାଜକୁ ଆଧ୍ୟାତ୍ମିକ ମାର୍ଗଦର୍ଶନ ଦେବାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ତେଣୁ ବୈଦିକ ଜ୍ଞାନର ଅଧ୍ୟୟନ, ଶୃଙ୍ଖଳା, ନିଷ୍ଠା ଓ ପୁରୋହିତ ପରମ୍ପରାର ସୁରକ୍ଷା ସହିତ ଏହି ଜ୍ଞାନକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ । ଏହି ଶିବିର ମାଧ୍ୟମରେ ନୂତନ ପୁରୋହିତ ସୃଷ୍ଟି ସହ ପଶ୍ଚିମ ଓଡ଼ିଶାରେ ବୈଦିକ ସଂସ୍କୃତି, ଧାର୍ମିକ ଚେତନା ଓ ପୁରୋହିତ ପରମ୍ପରାର ବ୍ୟାପକ ପ୍ରସାର ହେବ ବୋଲି ଆଶା ପ୍ରକାଶ ପାଇଥିଲା । ଏଭଳି ଏକ ଜ୍ଞାନଭିତ୍ତିକ ଓ ସମାଜୋପଯୋଗୀ ଅଭିନବ ପ୍ରୟାସକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି ।