jayashree

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅସନ୍ତୋଷ, ପରୀକ୍ଷା ଫଳକୁ ନେଇ ଘେରିଲେ କୁଳପତିଙ୍କ କାର୍ଯ୍ୟାଳୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପରୀକ୍ଷା ଫଳକୁ ନେଇ ଅସନ୍ତୋଷ, ଶେଷରେ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ର ଆନ୍ଦୋଳନ। ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପୁଣି ଦେଖାଦେଇଛି ଛାତ୍ର ଅଶାନ୍ତି। ପରୀକ୍ଷା ଫଳରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ବ୍ୟାକ୍‌ ପାଇଥିବା ଅଭିଯୋଗ କରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଘେରିଛନ୍ତି ଆନ୍ଦୋଳନକାରୀ। ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ୬୫ଟି ଡିଗ୍ରୀ କଲେଜର ୭୦ରୁ ୮୦ ପ୍ରତିଶତ ଛାତ୍ରଛାତ୍ରୀ ବିଭିନ୍ନ ବିଷୟରେ ବ୍ୟାକ୍‌ ପାଇଥିବା ଦାବି କରିଛନ୍ତି ଛାତ୍ରଛାତ୍ରୀ। ତରବରିଆ ଭାବେ ଉତ୍ତର ଖାତା ମୂଲ୍ୟାୟନ, ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା ଏବଂ ଛାତ୍ରଛାତ୍ରୀଙ୍କ ଷ୍ଟ୍ରିମ୍‌ ଅନୁଯାୟୀ ବିଷୟ ପରିବର୍ତ୍ତନ ଭଳି ଅନିୟମିତତାର ଅଭିଯୋଗ ଉଠାଇଛନ୍ତି ସେମାନେ। ଏହାସହ ଉତ୍ତର ଖାତା ଦେଖିବା ପାଇଁ ୧୦୦ ଟଙ୍କା ଫିସ୍‌ ଆଦାୟ ଏବଂ ମୁଦ୍ରିତ ମାର୍କସିଟ୍‌ ବଦଳରେ କେବଳ ଇ-ମାର୍କସିଟ୍‌ ପ୍ରଦାନକୁ ନେଇ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି ଛାତ୍ରଛାତ୍ରୀ। ବ୍ୟାକ୍‌ ପାଇଥିବା ଛାତ୍ରଛାତ୍ରୀଙ୍କ ଉତ୍ତର ଖାତାର ପୁନଃମୂଲ୍ୟାୟନ, ପରୀକ୍ଷା ଫଳର ସଠିକ୍‌ ଯାଞ୍ଚ ଏବଂ ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଆଣିବାକୁ ଦାବି କରିଛନ୍ତି ଆନ୍ଦୋଳନରତ ଛାତ୍ରଛାତ୍ରୀ। ଏବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଅଭିଯୋଗ ଉପରେ କି ପଦକ୍ଷେପ ନେଉଛନ୍ତି, ତାହାକୁ ନେଇ ଛାତ୍ରଛାତ୍ରୀଙ୍କ ଅପେକ୍ଷା।

Leave A Reply

Your email address will not be published.