
- ୧୪ ବର୍ଷରେ ପଦାର୍ପଣ କଲା ପାରମ୍ପରିକ ଉତ୍ସବ, ସପ୍ତାହବ୍ୟାପୀ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର କାର୍ତ୍ତିକ ମାସରେ ଦେବସେନାପତି ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ଆରାଧନାରେ ଉତ୍ସବମୁଖର ହୋଇଉଠିଛି ଡେଲାଙ୍ଗ ବ୍ଲକର ଘୋରଡ଼ିଆ ଗ୍ରାମ । ଗ୍ରାମର ଯୁବଗୋଷ୍ଠୀଙ୍କ ଉଦ୍ୟମରେ ମହାବୀର ମନ୍ଦିର ପ୍ରାଙ୍ଗଣରେ ଚଳିତ ବର୍ଷ ୧୪ତମ କାର୍ତ୍ତିକେଶ୍ୱର ଜନ୍ମୋତ୍ସବ ଓ ପାରମ୍ପରିକ ପୂଜା ମହାଆଡ଼ମ୍ବରରେ ଆୟୋଜିତ ହୋଇଛି । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦଶମୀ ତିଥିରୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁଥିବା ଏହି ଉତ୍ସବରେ ରହିଛି ବିଭିନ୍ନ ଧାର୍ମିକ ବିଧିବିଧାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ । ଅଧିବାସ, ଜଳଯାତ୍ରା, କଳସ ସ୍ଥାପନ, ସୂର୍ଯ୍ୟପୂଜା, ଯଜ୍ଞକର୍ମ ଓ ଅଗ୍ନିସ୍ଥାପନ ଆଦି ବୈଦିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି । ପୂଜା ମଣ୍ଡପରେ ଆକର୍ଷଣୀୟ ସାଜସଜ୍ଜା ସହ ଶିବ-ପାର୍ବତୀ, କାର୍ତ୍ତିକେୟ ଓ ଗଣେଶଙ୍କ ବିରାଟ ମୃଣ୍ମୟୀ ପ୍ରତିମା ସ୍ଥାପନ କରାଯାଇଛି । ଏଥିସହ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ରାଧାକୃଷ୍ଣଙ୍କ ବିଗ୍ରହ ମଣ୍ଡପର ଶୋଭା ବଢ଼ାଉଛି । ଫୁଲରେ ସଜ୍ଜିତ ବୃନ୍ଦାବତୀ ଚଉରା, ଆକର୍ଷଣୀୟ ତୋରଣ ଏବଂ ରଙ୍ଗବେରଙ୍ଗ ଆଲୋକମାଳା ଉତ୍ସବର ଆକର୍ଷଣକୁ ଦ୍ୱିଗୁଣିତ କରିଛି । ଉତ୍ସବ ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ ସଂକୀର୍ତ୍ତନ ସହ ବିଭିନ୍ନ ମନୋରଞ୍ଜନ ଧର୍ମୀ ଓ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ବ୍ରହ୍ମଗିରିର ରାମଲୀଳା ଦଳ ପକ୍ଷରୁ ସୀତାଠାବ ଓ ରାବଣ ବଧ ଭଳି ପୌରାଣିକ ନାଟକ ପରିବେଷଣ କରାଯିବା ସହ ରଣପୁରର କଳାକାରଙ୍କ ଦ୍ୱାରା କାଳୀୟ ଦଳନ ନାଟକ ମଞ୍ଚସ୍ଥ ହେବ । ଏଥିସହ ଅନ୍ୟାନ୍ୟ ସାଂସ୍କୃତିକ ପରିବେଷଣ ମଧ୍ୟ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିଛି । କାର୍ତ୍ତିକ ମାସର ପବିତ୍ରତା ଓ ଧାର୍ମିକ ମହତ୍ତ୍ୱକୁ ନେଇ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ମଣ୍ଡପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ହବିଷ୍ୟାଳୀଙ୍କ ଉପସ୍ଥିତି ଓ ଭଜନ, କୀର୍ତ୍ତନର ଧ୍ୱନିରେ ସମଗ୍ର ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ମୁଖରିତ ହୋଇଉଠିଛି । ବହୁ ଶ୍ରଦ୍ଧାଳୁ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରୁଛନ୍ତି । ଉତ୍ସବର ଶେଷ ଦିନ ବୁଧବାର ଏକ ବିରାଟ ଶୋଭାଯାତ୍ରାରେ ଠାକୁରଙ୍କ ବିସର୍ଜନ କରାଯିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ମହାପ୍ରସାଦ ସେବନର ବ୍ୟବସ୍ଥା ରହିଥିବା ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ସାହସ, ବୀରତ୍ୱ, ଏକତା ଓ ନୀତିନିଷ୍ଠାର ବାର୍ତ୍ତା ବହନ କରେ । ଏଭଳି ପାରମ୍ପରିକ ଆୟୋଜନ ଗ୍ରାମୀଣ ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ସହ ସାମାଜିକ ଏକତା ଓ ଭାଇଚାରାକୁ ଆହୁରି ସୁଦୃଢ଼ କରୁଛି ।