
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ମାଣ୍ଡୋସିଲ ଗ୍ରାମର ପୂର୍ବତନ ଗ୍ରାମ୍ୟ କମିଟି ସଭାପତି ଶେଖ ମହମ୍ମଦ ହନିଫ ଅକ୍ଟୋବର ୨୧ ତାରିଖ ଦିନ ରାସ୍ତାର ସାଇଡ୍ରେ ଠିଆ ହୋଇଥିବା ବେଳେ ଦ୍ରୁତ ଗତିରେ ଆସି ଗୋଟିଏ କାର ପଛପଟୁ ଘୋଷାରି ନେଇଥିଲା ଫଳରେ ତାଙ୍କର ଛାତି ଓ ହାତ ଭାଙ୍ଗି ଯାଇଥିଲା । ରାଇପୁର ହସ୍ପିଟାଲ ଠାରେ ଆସିୟୁରେ ଭର୍ତ୍ତି ହୋଇ ଗୋଟିଏ ମାସ ପର୍ଯ୍ୟନ୍ତ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ନଭେମ୍ବର ୨୨ ରବିବାର ଦିନ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ବେଳକୁ ୭୩ ବର୍ଷ ହେଉଥିଲା । ଏ ଖବର ପ୍ରସାରିତ ହେବା ପରେ ଏ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ନିଷ୍ଠା ଓ ପର ଉପକାରୀ ଥିଲେ । ମୁସଲିମ ସମ୍ପ୍ରଦାୟ ହୋଇଥିଲେ ମଧ୍ୟ ହିନ୍ଦୁ ପର୍ବପର୍ବାଣି ପୂଜା ମହୋତ୍ସବରେ ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ ଦାୟିତ୍ୱ ତୁଲାଉଥିଲେ । ତାଙ୍କ ବିୟୋଗର ଖବର ଶୁଣି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବରିଷ୍ଠ କଳାକାର ତଥା ସମାଜସେବୀ ଡ. ଲଳିତ ଜଗତ, ଗ୍ରାମ୍ୟ କମିଟି ସଭାପତି ଜଗନ୍ନାଥ ପୁଟାଙ୍କ ସମେତ ଅଞ୍ଚଳର ଗଣ୍ୟମାନ୍ୟ ବ୍ୟକ୍ତି ଶୋକ ପ୍ରକାଶ କରି ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ତାଙ୍କର ସ୍ତ୍ରୀ, ୨ପୁଅ ୩ ଝିଅ, ୨ ବୋହୂ, ନାତି ନାତୁଣୀକୁ ଛାଡି ଯାଇଛନ୍ତି ।