
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସ୍ଥାନୀୟ ସୋନପୁର ମହାବିଦ୍ୟାଳୟ ପରିସରରେ “ଅଷ୍ଟମ ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି” ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ସୋନପୁର ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ଶ୍ରୀମଦ୍ଭଗବତଗୀତାର ଷଷ୍ଠ ଅଧ୍ୟାୟ ଆବୃତ୍ତି କରିଥିଲେ । ଉଦ୍ଘାଟନୀ ଉତ୍ସବରେ ସମାଜସେବୀ ତଥା ବଢିଲା ଗୋଶାଳାର ପରିଚାଳକ ଭଜନଲାଲ ଅଗ୍ରୱାଲ, ମହାନଦୀ ଯୋଗବିହାରର ପରିଚାଳକ, ନିର୍ଦ୍ଦେଶକ ତଥା କ୍ରିୟାଯୋଗୀ ଆର୍ତ୍ତତ୍ରାଣ ବାବୁ, ବୀରମହାରାଜପୁର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ରଥ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗୀତା ଆବୃତ୍ତି ପ୍ରତିଯୋଗିତା ଦ୍ୱାରା ଶିଶୁମାନଙ୍କ ମନରେ ଭାରତୀୟ ସଂସ୍କୃତି ଓ ବିଚାରାଧାରାର ଉଦ୍ରେକ ହେଉଥିବାରୁ ମୁଖ୍ୟ ଅତିଥି ଭଜନ ଲାଲ ଅଗ୍ରୱାଲ ପ୍ରଜ୍ଞାନ ମିଶନର ପ୍ରଶଂସା କରିଥିଲେ । ମହାବିଦ୍ୟାଳୟର ଛାତ୍ରୀ କାଦମ୍ବିନୀ ପୂଜାହାରୀ ମଞ୍ଚ ପରିଚାଳନା ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସ୍ଥାନୀୟ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ କୈଳାସ ଚାନ୍ଦ ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମର ସୁବ୍ୟବସ୍ଥା କରିବାରେ ସାହାଯ୍ୟ କରିଥିଲେ । ଏହି ପ୍ରତିଯୋଗିତାରେ କ’ ବିଭାଗରୁ ଉନ୍ନତି ଭାରତୀ, ସିଦ୍ଧି ତ୍ରିପାଠୀ, ଶ୍ରୁତି ଏସ. ମିଶ୍ର, ଖ’ ବିଭାଗରୁ ସ୍ଵୟଂପ୍ରଭା ମିଶ୍ର, ସ୍ଵୟମସିଦ୍ଧା ମିଶ୍ର, ମୃଣ୍ମୟୀ ସାହୁ, ଗ’ ବିଭାଗରୁ ଅଂଶୁମାନ ଗରିଆ, ମୌସୁମୀ ଆଚାର୍ଯ୍ୟ, ଦିବ୍ୟା ପଣ୍ଡା ଓ ଘ’ବିଭାଗରୁ ଝିଲି ମହାକୁର, ଲକ୍ଷ୍ମୀପ୍ରିୟା ପୁରୋହିତ ଓ ଅଙ୍କିତା ପଧାନ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ପୁରସ୍କୃତ ହୋଇ ଆସନ୍ତା ଡ଼ିସେମ୍ବର ୨୬ ଓ ୨୭ରେ ହରିହରାନନ୍ଦ ଗୁରୁକୁଳମ, ବାଲିଘାଇ, ପୁରୀରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ବୀରମହାରାଜପୁର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା କ୍ରିୟାଯୋଗୀ ସୁଦାମ ଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ସୋନପୁର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡଃ.ସୌରଭ ଖମାରୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ଗୀତାର ଅତ୍ୟନ୍ତ ସାରଗର୍ଭକ ଦିଗ ଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସନ୍ତୋଷିନୀ ନନ୍ଦ ସମ୍ମାନିତ ଅତିଥି ରୂପେ ଯୋଗଦେଇ କର୍ମକ୍ଷେତ୍ରରେ ନିଜର ଉଚ୍ଚକୋଟୀର ଉପଲବ୍ଧି ସମ୍ବନ୍ଧରେ ଆଲୋକପାତ କରିଥିଲେ । ଜିଲ୍ଳାର ସମସ୍ତ ୬ଟି ବ୍ଲକରୁ ଆସିଥିବା ସୁନାମଧନ୍ୟ ସଂସ୍କୃତ ବିଦ୍ୱାନ ତଥା ଗୀତାପ୍ରେମୀ ଯଥା ସାବିତ୍ରୀ ବର୍ମା, ସୋମୀ ପାଢ଼ୀ, କୁନା ବଣ୍ଡୁକି, ଜପିଳ ମହାନନ୍ଦିଆ, ସଞ୍ଜୁ ରାଣୀ ସିଂହ, ସଂତୋଷିନୀ ନାୟକ, ସୁରେଶ କୁମାର ପଣ୍ଡା, ଅର୍ଜୁନ ଝାଙ୍କର, ସୌମିତ୍ରୀ ନାୟକ, ରାଧେଶ୍ୟାମ ବାରିକ, ଡ଼ଃ ପଦ୍ମନାଭ ମେହେର, ଅଜିତ କୁମାର ରଣା ପ୍ରମୁଖ ବିଚାରପତି ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ । ପ୍ରଜ୍ଞାନ ମିଶନର ଜିଲ୍ଲା ସଂଯୋଜକ ଶିତାଂଶୁ ପୂଜାହାରୀ, ଅନ୍ତର୍ଯ୍ୟାମୀ ହୋତା, ବିଶ୍ୱନାଥ ମହାକୁର, ପପୁନ ଖେତୀ, ବାଲଗୋପାଳ ଚାନ୍ଦ, ସୁଦାମ ଚରଣ ମିଶ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଇତ୍ୟବସରରେ ଅପର୍ଣ୍ଣା ଓ ଅର୍ପିତା ସୁଲଳିତ କଣ୍ଠରେ ଗୀତାଧ୍ୟାନର ଶ୍ଲୋକ ଗୁଡ଼ିକ ଗାୟନ କରିଥିଲେ । ଶେଷରେ ପ୍ରଜ୍ଞାନ ମିଶନର ଜିଲ୍ଲା ସଂଯୋଜକ ଅଚ୍ୟୁତାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ସମାପନ ଘୋଷଣା କରିଥିଲେ ।