
ବରଗଡ଼, (ମୁନ୍ନା ସାହୁ) : ଧାନ ବିକ୍ରିକୁ ନେଇ ଚିନ୍ତାରେ ଥିବା ବରଗଡ଼ ଜିଲ୍ଲାର ଚାଷୀଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଆସନ୍ତା ନଭେମ୍ବର ୩୦ ତାରିଖରୁ ଜିଲ୍ଲାରେ ଆରମ୍ଭ ହେବ ଚଳିତ ଖରିଫ ଋତୁର ଧାନ ସଂଗ୍ରହ ପ୍ରକ୍ରିୟା । ଏନେଇ ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଆଯାଇଛି ଚୂଡ଼ାନ୍ତ ନିଷ୍ପତ୍ତି । ଚାଷୀଙ୍କଠାରୁ ଧାନ କିଣା ପ୍ରକ୍ରିୟାକୁ ସ୍ୱଚ୍ଛ, ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ କରିବା ସହ ମଣ୍ଡିରେ ଯେପରି କୌଣସି ଚାଷୀ ହଇରାଣ ନହୁଅନ୍ତି, ସେନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ନଭେମ୍ବର ୩୦ରୁ ମଣ୍ଡି ଖୋଲିବା ନିଷ୍ପତ୍ତି ପରେ ଚାଷୀଙ୍କ ମଧ୍ୟରେ ଧାନ ବିକ୍ରିକୁ ନେଇ ଆଶା ବଢ଼ିଛି । ତେବେ ଧାନ କିଣା ପ୍ରକ୍ରିୟା କେତେ ସୁରୁଖୁରୁରେ ଚାଲୁଛି, ଚାଷୀଙ୍କୁ ଠିକ୍ ସମୟରେ ଟୋକନ ମିଳୁଛି କି ନାହିଁ ଏବଂ ମଣ୍ଡିରେ ଆବଶ୍ୟକ ସୁବିଧା ଉପଲବ୍ଧ ହେଉଛି କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର ।