
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାବନ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ରରେ ଆଜି ପବିତ୍ର କାର୍ତ୍ତିକ ମାସ ଦେବୋତ୍ଥାପନ ବଡ଼ ଏକାଦଶୀ ଅବସରରେ ଶ୍ରୀଜିଉ ମାନଙ୍କ ଲକ୍ଷ୍ମୀ ନାରାୟଣ (ଠିଆ କିଆ) ବେଶ ସମ୍ପନ୍ନ ହୋଇଯାଇଛି । ଆଜି ସକାଳୁ ଦ୍ୱାର ଫିଟା, ମଙ୍ଗଳ ଆଳତୀ, ସୂର୍ଯ୍ୟ ଅର୍ଘ୍ୟ, ଦ୍ୱାରପାଳ ପୂଜା, ଖେଚୁଡ଼ି ଭୋଗ ପରେ ଶ୍ରୀଜିଉମାନଙ୍କୁ ବେଶ କରାଯାଇଥିଲା । ପରେ ପରେ ଭକ୍ତମାନଙ୍କୁ ଦର୍ଶନର ସୁଯୋଗ ଦିଆ ଯାଇଥିଲା । ବହୁସଂଖ୍ୟାରେ ଭକ୍ତ ଦର୍ଶନାର୍ଥୀ ମହାପ୍ରଭୁଙ୍କ ଏହି ଦିବ୍ୟ ବେଶ ଦର୍ଶନ କରି ବିଭୁ କୃପା ଲାଭ କରିଥିଲେ । ଏହି ଅବସରରେ ସକାଳୁ ଏବଂ ସନ୍ଧ୍ୟାରେ ଠାକୁରଙ୍କୁ ବହୁ ଭକ୍ତ ବଡ଼ ଆଳତି ପ୍ରଦାନ କରିଥିଲେ । ପବିତ୍ର କାର୍ତ୍ତିକ ପଞ୍ଚୁକ ପର୍ବ ଚାଲିଥିବା ବେଳେ ବହୁ ସଂଖ୍ୟାରେ ହବିସିଆଳି ଠାକୁରଙ୍କ ଦର୍ଶନ କରିବା ଦେଖିବାକୁ ମିଳିଥିଲା । ଆସନ୍ତା ରାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ଠାକୁରଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହେବା ସହ ୨୪ ତାରିଖ ପୂର୍ଣ୍ଣିମା ଦିନ ଶ୍ରୀଜିଉମାନଙ୍କ ରାଜରାଜେଶ୍ଵର(ସୁନା )ବେଶ ଅନୁଷ୍ଠିତ ହେବ । ଟ୍ରଷ୍ଟର ବରିଷ୍ଠ ସଦସ୍ୟ ତଥା କାର୍ଯ୍ୟକ୍ରମ ସଂଯୋଜକ ପୂର୍ଣଚନ୍ଦ୍ର ପାଢ଼ୀଙ୍କ ସଂଯୋଜନାରେ ପୂଜକ ଗୁଣାକର ପଣ୍ଡା, ଜଗନ୍ନାଥ ହୋତା ଠାକୁରଙ୍କ ବେଶ ତଥା ନୀତି ସମ୍ପାଦନ କରୁଛନ୍ତି ।