jayashree

ବରଗଡ଼ରେ କିଷାନ ମହାପଞ୍ଚାୟତ : ଦେଶର ବିଭିନ୍ନ ପ୍ରାନ୍ତରୁ ଏକଜୁଟ ହେବେ ହଜାର ହଜାର କୃଷକ

ବରଗଡ଼, (ମୁନ୍ନା ସାହୁ) : ଚାଷୀଙ୍କ ହକ୍ ଅଧିକାର ପାଇଁ ଗର୍ଜିବ ଜାତୀୟ କିଷାନ ମୋର୍ଚ୍ଚା । ବରଗଡ଼ ଆରଏମ୍‌ସି ପଡ଼ିଆରେ ଅନୁଷ୍ଠିତ ହେଲା କିଷାନ ମହାପଞ୍ଚାୟତ । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଚାଷୀଙ୍କ ସମେତ ବହୁ କୃଷକ ନେତା ଯୋଗ ଦେଇଥିଲେ । ଚାଷୀଙ୍କ ବିଭିନ୍ନ ସମସ୍ୟା, ସରକାରଙ୍କ କୃଷିନୀତି ଏବଂ ଚାଷୀଙ୍କ ହକ୍ ଅଧିକାରକୁ ନେଇ ଏହି ମହାପଞ୍ଚାୟତରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ସମୟରେ ଋଣଭାରରେ ବୁଡ଼ିବାକୁ ବସିଛି ଚାଷୀ । ଅଥଚ ଚାଷୀଙ୍କ ସମସ୍ୟା ପ୍ରତି ସମସ୍ତେ ଅଣଦେଖା କରୁଥିବା ଅଭିଯୋଗ ହେଉଛି । ବିଭିନ୍ନ ରାଜ୍ୟରେ କୃଷିନୀତି ଭିନ୍ନ ଭିନ୍ନ ରହିଥିବାରୁ ଚାଷୀଙ୍କ ମଧ୍ୟରେ ଏକତାର ଅଭାବ ଦେଖାଦେଉଛି । ଧାନ ଓ ଗହମକୁ ଛାଡ଼ିଦେଲେ ଅନ୍ୟ ଫସଲର ଉଚିତ ସରକାରୀ ମୂଲ୍ୟ ନିର୍ଦ୍ଧାରଣ ହେଉନଥିବାରୁ ବ୍ୟବସାୟୀମାନେ ଚାଷୀଙ୍କଠାରୁ କମ୍ ଦରରେ ଫସଲ କିଣୁଛନ୍ତି । ଫଳରେ ନିଜ ଉତ୍ପାଦିତ ଫସଲର ଉଚିତ ଲାଭ ପାଇବାରୁ ବଞ୍ଚିତ ହେଉଛି ଚାଷୀ । ଏଭଳି ବିଭିନ୍ନ ସମସ୍ୟାକୁ ନେଇ ବରଗଡ଼ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଏହି କିଷାନ ମହାପଞ୍ଚାୟତର ଆୟୋଜନ କରାଯାଇଛି । ଚାଷୀଙ୍କ ହକ୍ ପାଇଁ ସମସ୍ତେ ଏକଜୁଟ ହୋଇ ଏହି ମହାସମାବେଶକୁ ସଫଳ କରିଛନ୍ତି ହଜାର ହଜାର ଚାଷୀ । ଏହି ମହାପଞ୍ଚାୟତରେ ରାଜସ୍ଥାନର ରାଜନ କ୍ଷୀରସାଗର, ପଞ୍ଜାବର ରାକେଶ ଟିକାୟତ ଏବଂ ଜାତୀୟ କିଷାନ ମୋର୍ଚ୍ଚାର କୃଷକ ନେତା ଆଫ୍ଲାତୁନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ମହାପଞ୍ଚାୟତ ଚାଷୀଙ୍କ ସମସ୍ୟା ଓ ଦାବିକୁ କେତେ ଦୂର ସ୍ୱର ଦେଇପାରୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Leave A Reply

Your email address will not be published.