
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର- ବିନିକା ରାସ୍ତା ଘୋଡ଼ାଧାର ଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେବଳ ଏକ ପରିବାରକୁ ନୁହେଁ, ଏକ ଗାଁର କୁନି କୁନି ଛୁଆମାନଙ୍କ ହସକୁ ମଧ୍ୟ ଛଡ଼ାଇ ନେଇଛି । ମୃତକ ହେଉଛନ୍ତି ଘୋଡ଼ାଧାର ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟରତ କର୍ମୀ ଗାୟତ୍ରୀ ପୂଝାରୀ (୩୫) । ଆଜି ସକାଳ ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ସୋନପୁର ପଟୁ ଯାଉଥିବା ଏକ ଟ୍ରକ୍ ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା । ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଲୋକେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇ ଟ୍ରକ ଟି ବିନିକା ପଟକୁ ପଳାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ପ୍ରତିଦିନ ସକାଳେ ଯେଉଁ ଦିଦି ହସ ହସ ମୁହଁରେ କେନ୍ଦ୍ରର ଗେଟ୍ ପାଖରେ ଛିଡ଼ା ହୋଇ କୁନି କୁନି ପିଲାମାନଙ୍କୁ ଆଦର କରି ଭିତରକୁ ନେଉଥିଲେ, ଆଜି ସେ ଆଉ ନାହାଁନ୍ତି । ତାଙ୍କ ହାତରୁ ଖାଇବା, ତାଙ୍କ କୋଳରେ ବସି ଗୀତ ଶିଖିବା, ତାଙ୍କ କଥା ଶୁଣି ଖେଳିବା ସବୁ ଏବେ କେବଳ ସ୍ମୃତି ହୋଇ ରହିଗଲା । କୁନି କୁନି ଅଙ୍ଗନୱାଡ଼ି ଛୁଆମାନେ ଆଉ କେବେ ଦେଖିବାକୁ ପାଇବେନି ତାଙ୍କ ପ୍ରିୟ ଦିଦିଙ୍କୁ । ସେମାନଙ୍କ ନିଷ୍ପାପ ଆଖି ଏବେ ବି ଖୋଜୁଛି ସେହି ଚିହ୍ନା ମୁହଁକୁ, ସେହି ସ୍ନେହ ଭରା ଡାକକୁ “ଆସ, ଆସ, ଆଜି କ’ଣ ଖେଳିବା ?” ଗାୟତ୍ରୀ କେବଳ ଜଣେ କର୍ମୀ ନ ଥିଲେ, ସେ ଥିଲେ ପିଲାମାନଙ୍କର ଦିଦି, ମା’ ପରି ମମତା ଦେଉଥିବା ଆପଣାର ଲୋକ । ତାଙ୍କ ଅକାଳ ବିୟୋଗରେ ଅଙ୍ଗନବାଡ଼ି କେନ୍ଦ୍ରରେ ଏବେ ନୀରବତା ଖେଳିଯାଇଛି । ଖେଳନା ପଡ଼ି ରହିଛି, କିନ୍ତୁ ଖେଳାଇବା ଲୋକ ନାହାଁନ୍ତି । ଏହି ଦୁଃଖଦ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ କର୍ମୀଙ୍କ ସ୍ୱାମୀ କରୁଣାକର ରଥ ସରକାରଙ୍କ ଠାରେ ପରିବାରକୁ ଉଚିତ୍ ସହାୟତା ଓ ନ୍ୟାୟ ପ୍ରଦାନ କରିବାକୁ ଦାବି ରଖିଛନ୍ତି ।