
ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ‘ଚେତନା ପରିଷଦ, ପଦ୍ମପୁର’ ଆନୁକୂଲ୍ୟରେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅମର ବୀରାଙ୍ଗନା ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀ ସମାରୋହ-୨୦୨୬ ଅତ୍ୟନ୍ତ ଭକ୍ତିପୂତ, ଗୌରବମୟ ତଥା ଉତ୍ସାହପ୍ରଦ ପରିବେଶ ମଧ୍ୟରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ପବିତ୍ର ଅବସରରେ ସକାଳ ସମୟରେ ପରିଷଦ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଯେଉଁ ଥିରେ ସ୍ଥାନୀୟ ଯୁବକ ଓ ସ୍ୱେଚ୍ଛାସେବୀ ମାନଙ୍କ ସ୍ୱତଃସ୍ଫୂର୍ତ୍ତ ଅଂଶଗ୍ରହଣ ଫଳରେ ସର୍ବମୋଟ ୩୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ପରେ ସନ୍ଧ୍ୟାରେ ପରିଷଦର ସଭାପତି ଭୂପେଶ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଭବ୍ୟ ସମାରୋହରେ ସଭାର ପ୍ରାରମ୍ଭରେ ଚେତନା ପରିଷଦ, ପଦ୍ମପୁର’ ମହିଳା ସଂଗଠନ ସଭାପତି ବିଶ୍ୱଲୟା ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ହରିଶଙ୍କର ସିଂ ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ରୋଜି ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ନିଜର ଓଜସ୍ୱିନୀ ଅଭିଭାଷଣରେ ସେ ରାଣୀ ଲକ୍ଷ୍ମୀବାଈଙ୍କ ଅଦମ୍ୟ ସାହସ, ଦେଶପ୍ରେମ ଏବଂ ନାରୀ ଶକ୍ତିର ଅପୂର୍ବ ନିଦର୍ଶନ ଉପରେ ଆଲୋକପାତ କରି ଆଜିର ଯୁବପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ନଗରପାଳ ଶିରୀଶ କୁମାର ବହିଦାର, ବରିଷ୍ଠ ଆଇନଜୀବୀ ତଥା ଚେତନା ପରିଷଦର ପ୍ରତିଷ୍ଠାତା ସଦସ୍ୟ ପ୍ରଶାନ୍ତ ମାଝୀ, ଆଇନଜୀବୀ ଗୌନ୍ତିଆ ସାହୁ, ବିଶିଷ୍ଟ ସମାଜସେବୀ ନିରୋଜ ଦୋରା, ସରିତା ଦୋରା, ସରିତା ତ୍ରିପାଠୀ, ଚେତନା ପରିଷଦ, ପଦ୍ମପୁର’ ମହିଳା ସଂଗଠନ ସମ୍ପାଦକ ନଳିନୀ ମିଶ୍ର, ଶୁଭ୍ରାଣୀ ସିଂ, ସୁମତି ସାହୁ ଏବଂ ଜ୍ୟୋତ୍ସ୍ନା ରାଣୀ ବାରିକ ପ୍ରମୁଖ ମଞ୍ଚାସୀନ ରହି ବୀରାଙ୍ଗନାଙ୍କ ବଳିଦାନ ଓ ଦେଶମାତୃକା ପ୍ରତି ଥିବା ତାଙ୍କର ଅତୁଟ ସମର୍ପଣ ଭାବକୁ ସ୍ମରଣ କରିଥିଲେ । କାର୍ଯ୍ୟକ୍ରମର ଏକ ବିଶେଷ ପର୍ବରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶିଷ୍ଟ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମାନବ ସେବା କ୍ଷେତ୍ରରେ ନିଷ୍ଠାପର କର୍ତ୍ତବ୍ୟ ପାଇଁ ନର୍ସିଂ ଅଫିସର ସୁକାନ୍ତି ସାହୁ, ପରିବେଶ ସୁରକ୍ଷା କ୍ଷେତ୍ରରେ ଅତୁଳନୀୟ କାର୍ୟ୍ୟ ପାଇଁ ପରିବେଶବିତ୍ ତ୍ରିଲୋଚନ ବେହେରା ଏବଂ ସାମାଜିକ ସେବା ପାଇଁ ‘ସହଯୋଗ ଅନୁଷ୍ଠାନ, ପଦ୍ମପୁର’କୁ ପରିଷଦ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ସଭାପର୍ବ ପରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏଥିରେ ‘ଏକ ଟଙ୍କିଆ ସଙ୍ଗୀତ ବିଦ୍ୟାଳୟ’, ‘ଜେନିଥ ପଦ୍ମପୁର’, ‘ହେପି ଫିଟ୍ ଡାନ୍ସ ଏକାଡେମୀ’ ଏବଂ ‘ୱିନର ବ୍ରାଇଟ୍ ଫିଉଚର ସ୍କୁଲ’ର ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ମୋହି ନେଇଥିଲେ । କିଶୋର ପାତ୍ର ଅତ୍ୟନ୍ତ ସୁଚାରୁ ରୂପେ ମଞ୍ଚ ପରିଚାଳନା କରିଥିଲେ । ଏହି ସମଗ୍ର ଆୟୋଜନକୁ ସଫଳ କରିବାରେ ରାକେଶ ସାହୁ, ସତ୍ୟବ୍ରତ ସାହୁ, ମନୋଜ ମହାନ୍ତି, ଅଶୋକ ମିଶ୍ର ଓ ସୁଧାଂଶୁ ତ୍ରିପାଠୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ପରିଶେଷରେ ଚେତନା ପରିଷଦ, ପଦ୍ମପୁର’ ମହିଳା ସଂଗଠନ କୋଷାଧ୍ୟକ୍ଷ ସରିତ ଦୋରା ଉପସ୍ଥିତ ସମସ୍ତ ଅତିଥି, କଳାକାର ଏବଂ ଦର୍ଶକମାନଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ ।