
ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ସହର ସେବା ସମିତିର ବାର୍ଷିକ ଉତ୍ସବ ଓ ସଂଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ ଆସନ୍ତା ୨୧ ତାରିଖ ଦିନ ଦିବା ୧୦ ଘଟିକାରେ ସେକ୍ଟର ୨ ସ୍ଥିତ ସେହେନାଇ ମଣ୍ଡପ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ସକାଳ ୧୦ଟାରେ ଆଲୋଚନା ଚକ୍ର, ସାଧାରଣ ସଭା ଓ ସମ୍ବର୍ଦ୍ଧନା ପର୍ବ ରହିଛି । ଆଲୋଚ୍ୟ ପ୍ରସଙ୍ଗ ସାମ୍ପ୍ରତିକ ସ୍ଥିତି ଓ ଦେଶର ହିତକଳ୍ପେ ଯୁବ ଛାତ୍ରଙ୍କ ପାଇଁ ଉପଯୁକ୍ତ ରାଜନୀତି ଶିକ୍ଷା କେତେ ଜରୁରୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ, ଆଲୋଚକ ଭାବେ ପ୍ରଫେସର ବିଶ୍ୱରଂଜନ, ବି କେ ପବ୍ଲିକେସନର ପ୍ରକାଶକ ବିଜୟ କୁମାର ମହାପାତ୍ର, ପ୍ରଫେସର ପ୍ରଭାତ କୁମାର ମଲ୍ଲିକ ପ୍ରମୁଖ ଯୋଗଦେବେ । ସେହିପରି ସନ୍ଧ୍ୟା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠାନର ମ୍ୟୁଜିକ ଥେରାପି ପକ୍ଷରୁ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ବରିଷ୍ଠ ସଂଗୀତକାର ଅବନୀକାନ୍ତ ଦାସ ଉଦ୍ଘାଟକ ଭାବେ ଯୋଗଦେବେ । ସେହିପରି କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ । ତେଣୁ ଏହି କାର୍ଯ୍ୟକ୍ରମରେ ସହରବାସୀ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁଷ୍ଠାନର ପ୍ରମୁଖ ଶୈଳେନ୍ଦ୍ର ମହାନ୍ତି ଅନୁରୋଧ କରିଛନ୍ତି ।