
ନୂଆଦିଲ୍ଲୀ : କେନ୍ଦ୍ରୀୟ ବଜେଟ୍ ୨୦୨୭-୨୮ ପୂର୍ବରୁ ଭାରତୀୟ କିଷାନ ସଂଘ କୃଷକମାନଙ୍କ ହିତ ଏବଂ କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ୧୭ଟି ସୂତ୍ରୀୟ ପ୍ରସ୍ତାବ ଓ ଦାବି ଉପସ୍ଥାପନ କରିଛି । କର୍ତ୍ତବ୍ୟ ଭବନରେ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସଂଘର ଅଖିଳ ଭାରତୀୟ ମହାମନ୍ତ୍ରୀ ମୋହିନ ମୋହନ ମିଶ୍ର ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ ଦେବା, କୃଷକଙ୍କ ଆୟ ବୃଦ୍ଧି କରିବା ଏବଂ କୃଷିକୁ ଆତ୍ମନିର୍ଭରଶୀଳ କରିବା ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉଠାଇଥିଲେ । ସଂଘ ପକ୍ଷରୁ ପ୍ରାକୃତିକ ଓ ଗୋ-ଆଧାରିତ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ କ୍ଷୁଦ୍ର କୃଷକମାନଙ୍କୁ ଦେଶୀ ଗାଈ ପାଳନ ଉପରେ ଆର୍ଥିକ ସହାୟତା ଦେବା ସହ ଜୈବିକ ଉତ୍ପାଦର କ୍ରୟ, ପ୍ରକ୍ରିୟାକରଣ, ବ୍ରାଣ୍ଡିଂ ଓ ବିପଣନ ପାଇଁ ଅଲଗା ବଜେଟ୍ ନିର୍ଦ୍ଧାରଣ କରିବାକୁ ଦାବି କରାଯାଇଛି । ଏଥିସହ ଖାଦ୍ୟଶସ୍ୟରେ ରାସାୟନିକ ଅବଶେଷ ଯାଂଚ ପାଇଁ ଜିଲ୍ଲାସ୍ତରରେ କେନ୍ଦ୍ର ସ୍ଥାପନ କରିବା ଏବଂ ସାର୍ବଜନୀନ ବିତରଣ ପ୍ରଣାଳୀରେ ଶ୍ରୀଅନ୍ନ ତଥା ମୋଟା ଶସ୍ୟର ଗୁଣବତା ସୁନିଶ୍ଚିତ କରିବା ଉପରେ ଜୋର୍ ଦିଆଯାଇଛି । କୃଷକ ସଂଘ ଖାଦ୍ୟତେଲ ଓ ଡାଲି ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବା ପାଇଁ ତିଳହନ ଏବଂ ସୋରିଷ ମିଶନକୁ ସୁଦୃଢ଼ କରିବା, ସୋରିଷ ବିହନ ବଂଟନ ଓ ସରକାରୀ କ୍ରୟକୁ ପ୍ରାଥମିକତା ଦେବା ସହ ଡାଲିର ଶତପ୍ରତିଶତ ସରକାରୀ କ୍ରୟ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛି । ମକା କ୍ରୟ, ସଂରକ୍ଷଣ ଓ ପରିବହନ ସୁବିଧାର ସମ୍ପ୍ରସାରଣ ପାଇଁ ମଧ୍ୟ ଦାବି ଉଠାଯାଇଛି । ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ପାରମ୍ପରିକ ଏବଂ ରୋଗ ପ୍ରତିରୋଧକ ବିହନର ସଂରକ୍ଷଣ ଓ ବଂଟନ, ଜଳସେଚନ ପ୍ରକଳ୍ପର ସମ୍ପ୍ରସାରଣ ତଥା କ୍ଷୁଦ୍ର କୃଷକଙ୍କ ପାଇଁ କମ୍ ଖର୍ଚ୍ଚରେ ଜୈବିକ ପ୍ରମାଣପତ୍ର ବ୍ୟବସ୍ଥା ବିକଶିତ କରିବାର ଆବଶ୍ୟକତା ଉପରେ ଜୋର୍ ଦିଆଯାଇଛି । ଏହାବ୍ୟତୀତ ଜାତୀୟ ରାଜପଥ କଡ଼ରେ ଜୈବିକ ବଜାର ପରିସର ସ୍ଥାପନ କରିବା ଏବଂ ନଡ଼ା ପରିଚାଳନା ପାଇଁ ପର୍ଯ୍ୟାପ୍ତ ବଜେଟ୍ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ଅର୍ଥରାଶି ବୃଦ୍ଧି କରିବା, ପ୍ରାକୃତିକ ଓ ଜୈବିକ ଚାଷ କରୁଥିବା କୃଷକମାନଙ୍କୁ ଡିବିଟି ମାଧ୍ୟମରେ ସାର ସବ୍ସିଡି ପ୍ରଦାନ କରିବା ଏବଂ କପା ଉତ୍ପାଦନ ବୃଦ୍ଧି ପାଇଁ ଉନ୍ନତ କୌଶଳକୁ ପ୍ରୋତ୍ସାହନ ଦେବା ଭଳି ପ୍ରସଙ୍ଗ ମଧ୍ୟ ଦାବିପତ୍ରରେ ସାମିଲ ରହିଛି । ସେହିପରି ବନ୍ୟଜନ୍ତୁଙ୍କ ଦ୍ୱାରା ଫସଲର କ୍ଷତି ରୋକିବା, କ୍ଷତିଗ୍ରସ୍ତ କୃଷକଙ୍କୁ ଉଚିତ୍ କ୍ଷତିପୂରଣ ଦେବା ଏବଂ ବୁଲା ଗୋରୁଙ୍କ ପାଇଁ ଗୋଶାଳା ଓ ଆଶ୍ରୟସ୍ଥଳୀ ସ୍ଥାପନ କରିବାକୁ ଦାବି କରାଯାଇଛି । ଭାରତୀୟ କିଷାନ ସଂଘ ଆଶା ପ୍ରକାଶ କରିଛି ଯେ, ଆଗାମୀ ବଜେଟ୍ରେ ଏହି ପ୍ରସ୍ତାବଗୁଡ଼ିକୁ ପ୍ରାଥମିକତା ମିଳିବ । ଫଳରେ କ୍ଷୁଦ୍ର ଓ ନାମମାତ୍ର କୃଷକମାନେ ଆଶ୍ୱସ୍ତି ପାଇବା ସହ ପ୍ରାକୃତିକ ଚାଷ, କୃଷି ଉତ୍ପାଦନ ଏବଂ ଗ୍ରାମୀଣ ଅର୍ଥନୀତିକୁ ଅଧିକ ସୁଦୃଢ଼ କରାଯାଇପାରିବ ।