
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ହନୁମାନ ରାଇସ ମିଲ (ହନୁମାନ ଫୁଡ଼ ପ୍ରଡକ୍ଟ ରାଇସ୍ ମିଲ୍) ପରିସରରେ ତିନିଦିନ ଧରି ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞ ଗୁରୁବାର ଉଦଯାପିତ ହୋଇଯାଇଛି । ସୋମବାର କଳସ ଯାତ୍ରାରେ ଶତାଧିକ ମହିଳାମାନେ ପବିତ୍ର ଜଳ ୧୦୮ କଳସରେ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ମଙ୍ଗଳବାର ସେହି ଲଗ୍ନ ସମୟରୁ ଦିବାରାତ୍ର ଚାଲିଥିଲା ହରେ କୃଷ୍ଣ, ହରେ ରାମ ମହାମନ୍ତ୍ର । କର୍ତ୍ତା ଭାବରେ ଆଶୁତୋଷ ସାହୁ ଓ ତାଙ୍କର ଧର୍ମପତ୍ନୀ ହିମାଦ୍ରୀ ସାହୁ, ତିନିଦିନ ଯାକ ଯଜ୍ଞ ମଣ୍ଡପରେ ବସି ପୂଜାପାଠ କରି ଯଜ୍ଞରେ ଆହୁତି ପ୍ରଦାନ ସହ ଦାନ ଦକ୍ଷିଣା ପ୍ରଦାନ କରିଥିଲେ । ଏଥିରେ ଦୁବରାଜ ପଣ୍ଡିତ ଓ ତାଙ୍କର ସାଥିମାନେ ପୂଜାପାଠ, ହୋମ, ଯଜ୍ଞ, ରୀତିନୀତିରେ କରି ଭକ୍ତ ମାନଙ୍କୁ ଭଗବାନଙ୍କୁ ଦର୍ଶନ କରାଉଥିଲେ ଓ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରୁଥିଲେ । ଦୈନନନ୍ଦିନ ପ୍ରାୟ ଦଶ ହଜାରରୁ ଅଧିକ ଭକ୍ତ ମାନଙ୍କୁ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ସୁରୁଖୁରୁରେ କରାଯାଉଥିଲା । ଏଥିରେ ସ୍ୱେଚ୍ଛାସେବୀ ମହେଶ ଅଗ୍ରୱାଲ, କ୍ରିଷ୍ଣା ଅଗ୍ରୱାଲ, ରମେଶ ଅଗ୍ରୱାଲ, ପୁସ୍ତମ ଅଗ୍ରୱାଲ, ସୁନୀଲ ନାଗ, ନକୁଳ ବହିଦାର ଦୁର୍ଯ୍ୟୋଧନ ବରିହା, କୁନୁ ଥପା ତଥା ପାଇକମାଲରେ ସ୍ୱେଚ୍ଛାସେବୀ ସହଯୋଗ କରିଥିଲେ । ନିକଟସ୍ଥ ଲାଉଡ଼ମାଲ ଗ୍ରାମର ତଥା ଆଖପାଖ ଗ୍ରାମର ମା’, ଭଉଣୀ ଯୁବକମାନେ ବିଭିନ୍ନ କାମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ପାଇକମାଲ ସାମ୍ବାଦିକ ମାନଙ୍କ ସହ ବଡ ଶତପଥି କର୍ତ୍ତା ଦମ୍ପତି ମାନଙ୍କୁ ଏକ ଅଶୋକ ଗଛ ଯଜ୍ଞ ସ୍ମୁତି ପାଇଁ ପ୍ରଦାନ କରି ଉପଯୁକ୍ତ ସ୍ଥାନରେ ଲଗାଇ ଏହାର ଯତ୍ନ ନେବା ପାଇଁ କର୍ତ୍ତା ଦମ୍ପତିଙ୍କୁ ଉପଦେଶ ଦେଇଥିଲେ । ପବିତ୍ର କାର୍ତ୍ତିକ ମାସରେ ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞକୁ ଆହୁରି ସରସ ସୁନ୍ଦର କରିବା ପାଇଁ ଆଠ ଗୋଟି ବଛା ବଛା ସଂକୀର୍ତ୍ତନ୍ୟ ଦଳ ଭାଗ ନେଇଥିଲେ । ନୃସିଂହ ଠାକୁର ସଂକୀର୍ତ୍ତନ ଲାଉଡ଼ମାଲ, ଗୌରହରୀ ସଂକୀର୍ତ୍ତନ ଡୁମ୍ବରବାହାଲ, ମା’ ବୀଣାପାଣି ସଂକୀର୍ତ୍ତନ ବେମାଲ ମୁଣ୍ଡା, ବାଙ୍କେ ବିହାରୀ ସଂକୀର୍ତ୍ତନ ମାନିଗୁଡା, ରାଧାମାଧବ ସଂକୀର୍ତ୍ତନ ପିପିଲିପାଲି, ଡୋଲାମଣି ମହାରଣା ସଂକୀର୍ତ୍ତନ ଧୂବଲପଡା, ମା’ ଦୁର୍ଗା ସଂକୀର୍ତ୍ତନ ଚନ୍ଦନଭାଟି, ପ୍ରେମ ସଂକୀର୍ତ୍ତନ ତୁରଚି ପ୍ରମୁଖ ଦଳ ଗୁଡିକ ନିଜ ନିଜର ସୁନ୍ଦର ବେଶଭୂଷା ହୋଇ ନୃତ୍ୟ କରି ହରେ କୃଷ୍ଣ, ହରେ ରାମ ମନ୍ତ୍ର ଗାନ କରି ନାଚି ନାଚି ଜନ ମାନସକୁ ବିମୋହିତ କରିଥିଲେ । ଗୁରୁବାର ଶେଷଦିନ ଅପରାହ୍ନ ତିନିଟାରେ ଯଜ୍ଞ ପୂର୍ଣ୍ଣାହୁତି ଓ ଦଧିଭାଣ୍ଡ ଭଂଜନ ଅନୁଷ୍ଠିତ ହୋଇଥିଲା । ସଂକୀର୍ତ୍ତନ ବୈଠକି ରାତି ସାତଟା ଯାଏଁ ଚାଲିବ ବୋଲି ଜଣାପଡିଛି ।