jayashree

ବାଚସ୍ପତି ସୁରମା ପାଢ଼ୀଙ୍କୁ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ନିମନ୍ତ୍ରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନାରୀଶିକ୍ଷାର ପ୍ରସାର ଓ ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଦେଇ ୧୯୯୩ ମସିହାରେ ପ୍ରତିଷ୍ଠିତ ପାଇକମାଲ ସ୍ଥିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ଚଳିତ ବର୍ଷ ତା’ର ୩୪ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରିବାକୁ ଯାଉଛି । ଆସନ୍ତା ଡିସେମ୍ବର ୬ ତାରିଖ, ରବିବାର ଦିନ ଏହି ଉତ୍ସବ ଆୟୋଜିତ ହେବ । ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିଚାଳନା କମିଟିର ତତ୍କାଳୀନ ଟ୍ରଷ୍ଟ ସଭାପତି ତଥା ବର୍ତ୍ତମାନର ସାଂସଦ ପ୍ରଦୀପ ପୁରୋହିତଙ୍କ ଉଦ୍ୟମ ଓ ପ୍ରେରଣାରେ ଏହି ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ପ୍ରଭୁ ନୃସିଂହନାଥଙ୍କ କୃପାରୁ କନ୍ଦା ଖୋଳୁ ଖୋଳୁ ପାଇଥିବା କନ୍ଧ ସମ୍ପ୍ରଦାୟର ହରି ଓ ଯମୁନା ଦମ୍ପତିଙ୍କ ନାମକୁ ଚିରସ୍ମରଣୀୟ କରି ରଖିବା ଉଦ୍ଦେଶ୍ୟରେ ବିଦ୍ୟାଳୟର ନାମକରଣ ‘ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ’ କରାଯାଇଥିଲା । ଏହି ଗୌରବମୟ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବା ପାଇଁ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ସାଂସଦ ପ୍ରଦୀପ ପୁରୋହିତଙ୍କ ପକ୍ଷରୁ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇଥିଲା । ବାଚସ୍ପତି ମହୋଦୟା ଏହି ନିମନ୍ତ୍ରଣକୁ ସମ୍ମାନ ଜଣାଇ ତାଙ୍କର ସଦୟ ସ୍ୱୀକୃତି ପ୍ରଦାନ କରିଥିବାରୁ ବିଦ୍ୟାଳୟ ପରିବାରରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି । ବାଚସ୍ପତିଙ୍କ ଯୋଗଦାନକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ, ପୁରାତନ ଛାତ୍ରୀ (ଆଲୁମିନି), ବର୍ତ୍ତମାନର ଛାତ୍ରୀ ତଥା ସମଗ୍ର ପାଇକମାଲ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଏହି ଉତ୍ସବ ବିଦ୍ୟାଳୟର ଗୌରବମୟ ଇତିହାସ ସହ ନାରୀଶିକ୍ଷାର ଗୁରୁତ୍ୱ ଓ ସାମାଜିକ ପ୍ରଗତିର ବାର୍ତ୍ତା ବହନ କରିବ ବୋଲି ଆଶା ପ୍ରକାଶ ପାଇଛି ।

Leave A Reply

Your email address will not be published.