
- ୮୦୦ ଜଣ ଗର୍ଭବତୀ ମହିଳା ଓ ୨୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ଚିକିଟିଠାରୁ ଖଲ୍ଲିକୋଟ ଓ ଚିଲିକା ସଂଲଗ୍ନ ଅଞ୍ଚଳ ପର୍ଯ୍ୟନ୍ତ ସତର୍କତା । ସମ୍ଭାବ୍ୟ ବାତ୍ୟା ‘’ଆକ୍ୱାନ୍”କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରାଯାଇଛି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଓ ପବନର ସମ୍ଭାବନା ଥିବାରୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ଚିକିଟିଠାରୁ ଖଲ୍ଲିକୋଟ ଓ ଚିଲିକା ସଂଲଗ୍ନ ଅଞ୍ଚଳ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରାଯାଇଛି । ସ୍ଥାନାନ୍ତର, ଆଶ୍ରୟସ୍ଥଳୀ ପରିଚାଳନା, ଖାଦ୍ୟ ଓ ସ୍ୱାସ୍ଥ୍ୟସେବା, ଉଦ୍ଧାର କାର୍ଯ୍ୟ ଏବଂ ଜରୁରୀକାଳୀନ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି । ଅଦ୍ୟାବଧି ୨୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ବିପଦସଙ୍କୁଳ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ଆଶ୍ରୟସ୍ଥଳୀରେ ରଖାଯାଇଛି । ସମସ୍ତ ଆଶ୍ରୟସ୍ଥଳୀରେ ଆବଶ୍ୟକୀୟ ସୁବିଧା ଓ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି । ଉପକୂଳବର୍ତ୍ତୀ, ଦୁର୍ଗମ ଓ ଭୂସ୍ଖଳନପ୍ରବଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ବରିଷ୍ଠ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବା ସହ ସ୍ଥାନାନ୍ତର କାର୍ଯ୍ୟର ତଦାରଖ କରୁଛନ୍ତି । ଆଶ୍ରୟସ୍ଥଳୀଗୁଡ଼ିକରେ ଆଗାମୀ ୩ ଦିନ ପାଇଁ ଆବଶ୍ୟକ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି । ଆବଶ୍ୟକତା ଅନୁଯାୟୀ ରନ୍ଧାଖାଦ୍ୟ ଯୋଗାଣର ମଧ୍ୟ ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ଚିହ୍ନଟ ୧,୭୭୭ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ପ୍ରାୟ ୮୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଇତିମଧ୍ୟରେ ପ୍ରାୟ ୧୪୦ ଜଣ ମହିଳା ସନ୍ତାନ ପ୍ରସବ କରିଛନ୍ତି । ଗର୍ଭବତୀ ମହିଳା ଓ ଅନ୍ୟ ଜରୁରୀ ସ୍ୱାସ୍ଥ୍ୟସେବା ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ଉଦ୍ଧାର କାର୍ୟ୍ୟ ପାଇଁ ୩୯ଟି ଟିମ୍ ମୁତୟନ :
ବାତ୍ୟା ମୁକାବିଲା ଓ ଜରୁରୀ ପରିସ୍ଥିତିରେ ତ୍ୱରିତ ଉଦ୍ଧାର କାର୍ଯ୍ୟ ନିମନ୍ତେ ଜିଲ୍ଲାରେ ୧୨ଟି ଓଡ୍ରାଫ୍ ଟିମ୍, ୩ଟି ଏନ୍ଡିଆର୍ଏଫ୍ ଟିମ୍ ଏବଂ ଅଗ୍ନିଶମ ବାହିନୀର ୨୪ଟି ଟିମ୍ ମୁତୟନ କରାଯାଇଛି । ଜଳବନ୍ଦୀ ପରିସ୍ଥିତି, ଗଛ ଉପୁଡ଼ିବା ଓ ଅନ୍ୟାନ୍ୟ ଜରୁରୀ ପରିସ୍ଥିତିରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ଏହି ଟିମ୍ଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି ।
ବିଦ୍ୟୁତ୍ ଓ ଯୋଗାଯୋଗ ସେବା ସ୍ୱାଭାବିକ ରଖିବାକୁ ପଦକ୍ଷେପ :
ସମ୍ଭାବ୍ୟ ବିଦ୍ୟୁତ୍ ବିଭ୍ରାଟର ମୁକାବିଲା ଏବଂ ଯଥାଶୀଘ୍ର ବିଦ୍ୟୁତ୍ ସେବା ସ୍ୱାଭାବିକ କରିବା ପାଇଁ ଟାଟା ପାୱାର ଓ ଓଏଫ୍ଡିସି ପକ୍ଷରୁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ରଖାଯାଇଛି । ଟେଲିଯୋଗାଯୋଗ ସେବା ବ୍ୟାହତ ହେଲେ ଜରୁରୀ ସେବା ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ମୋବାଇଲ୍ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଆବଶ୍ୟକୀୟ ଯନ୍ତ୍ରପାତି ଓ ଯାନବାହନ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଏଥିସହ ଜରୁରୀ ଯୋଗାଯୋଗ ବ୍ୟବସ୍ଥା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ସାଟେଲାଇଟ୍ ଫୋନ୍ ଯୋଗାଇ ଦିଆଯାଉଛି । ବାତ୍ୟାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖାଯାଇଛି । ଏଥିସହ ଜନସାଧାରଣ ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଦଲିଲପତ୍ର ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଛି ।
କଳାବଜାରୀ ରୋକିବାକୁ ଯୋଗାଣ ବିଭାଗର ନଜର :
ବାତ୍ୟା ଓ ବର୍ଷା ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର କୃତ୍ରିମ ଅଭାବ କିମ୍ବା କଳାବଜାରୀ ରୋକିବା ପାଇଁ ଯୋଗାଣ କାର୍ଯ୍ୟାଳୟକୁ ସ୍ୱତନ୍ତ୍ର ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମଗ୍ର ଜିଲ୍ଲାର ପରିସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଇଛି । ଗୋପାଳପୁରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଓ ବିଭିନ୍ନ ସତର୍କତାମୂଳକ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ ।