
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମ୍ୟୁନିସିପାଲିଟି ଅଞ୍ଚଳରେ ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତା, ମଧୁବାବୁ ପେନସନ ଯୋଜନା, ଆବାସ ଯୋଜନା ଆଦି ବଣ୍ଟନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ଦୀର୍ଘଦିନ ଧରି ଏହି ଅନିୟମିତତା ଚାଲିଥିବା ଅଭିଯୋଗ ନେଇ ଏହାର ଉଚ୍ଚସ୍ତରୀୟ ତଦନ୍ତ ଏବଂ ନିରପେକ୍ଷ ତଦନ୍ତ ଦାବିରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅନିୟମିତତାରେ କିଛି ନିର୍ବାଚିତ ପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି । ତେଣୁ ଭତ୍ତା ହିତାଧିକାରୀଙ୍କ ତାଲିକା, ଯୋଗ୍ୟତା ଓ ଭତ୍ତା ବଣ୍ଟନ ପ୍ରକ୍ରିୟାର ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ଦାବି ହୋଇଛି । ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦେବା, ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଭତ୍ତା ପ୍ରଦାନ ସୁନିଶ୍ଚିତ କରିବା ଏବଂ ଅନିୟମିତତାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି । ଏହି ଦାବିପତ୍ରରେ ଛତ୍ରପୁର ବିଧାୟକ ପ୍ରାର୍ଥୀ ଭାଗିରଥି ବେହେରା, ଛାତ୍ର କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ମହେଶ କୁମାର ଗୌଡ଼, ଯୁବ କଂଗ୍ରେସ ସଂଯୋଜକ ଜି. ପାପା ରାଓ, ହୃଷିକେଶ ବେହେରା, ଦିଲ୍ଲୀପ କୁମାର ଭୋଲଟି, ନିରାକାର ସାହୁ ଓ ମୁନା ଦାସ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଏହାର ଦୃଢ଼ ଦାବୀ କରିଛନ୍ତି ।