
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆୟୋଜିତ ଜନସମ୍ପର୍କ ପଦଯାତ୍ରା ଅବସରରେ ଏକ ବିଶାଳ ମୋଟରସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଦଳୀୟ କର୍ମୀ ଓ ସମର୍ଥକଙ୍କ ଉତ୍ସାହ, ଉଦ୍ଦୀପନା ଏବଂ ସ୍ଲୋଗାନରେ ବାଲିଗୁଡ଼ା ସହରରେ ଏକ ରାଜନୈତିକ ମାହୋଲ ସୃଷ୍ଟି ହୋଇଥିଲା । ଏହି ଶୋଭାଯାତ୍ରା ବାଲିଗୁଡ଼ାର ଦଣ୍ଡପଦର ଠାରୁ ଆରମ୍ଭ ହୋଇ ଟାଉନ ହଲ ପର୍ଯ୍ୟନ୍ତ ସହରର ବିଭିନ୍ନ ରାସ୍ତା ଓ ଅଞ୍ଚଳ ପରିକ୍ରମା କରିଥିଲା । ଶତାଧିକ ମୋଟର ସାଇକେଲରେ ଦଳୀୟ କର୍ମୀ ଓ ସମର୍ଥକମାନେ ସାମିଲ ହୋଇ ଦଳୀୟ ପତାକା ଓ ସ୍ଲୋଗାନ ମାଧ୍ୟମରେ ନିଜର ଉତ୍ସାହ ପ୍ରଦର୍ଶନ କରିଥିଲେ । ଶୋଭାଯାତ୍ରା ସମୟରେ ‘ବିଜୁ ବାବୁ ଅମର ରହେ’, ‘ନବୀନ ପଟ୍ଟନାୟକ ଜିନ୍ଦାବାଦ’, ‘ବିଜେଡି ଜିନ୍ଦାବାଦ’ ଏବଂ ‘ପଦ୍ମନାଭ ବେହେରା ଜିନ୍ଦାବାଦ’ ଆଦି ସ୍ଲୋଗାନରେ ସହର ପ୍ରକମ୍ପିତ ହୋଇଥିଲା । ଦଳର ସାଂଗଠନିକ ଶକ୍ତିକୁ ମଜବୁତ କରିବା ସହ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ଦଳର ବାର୍ତ୍ତା ଓ ନୀତି ଆଦର୍ଶ ପହଞ୍ଚାଇବା ଏହି ଜନସମ୍ପର୍କ ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଦଳୀୟ ମହଲରେ କୁହାଯାଇଛି । ଏହି ଅବସରରେ ଦଳୀୟ କର୍ମୀଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଏକତାର ବାର୍ତ୍ତା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବ୍ଲକ ବିଜେଡି ସଭାପତି କ୍ଳେଶ ପ୍ରଧାନ, ନଗର ସଭାପତି ଅମିତ ନାୟକ, ପୂର୍ବତନ ବିଧାୟକ ରାଜୀବ ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୈଳାଶ ମୁଖୀ, ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁରଙ୍କ ସମେତ ବହୁ ଦଳୀୟ ନେତା, କର୍ମୀ ଓ ସମର୍ଥକ ଯୋଗଦେଇଥିଲେ । ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ଜନସାଧାରଣଙ୍କ ସହ ସମ୍ପର୍କକୁ ନିବିଡ଼ କରିବା ଦିଗରେ ବିଜେଡି ପକ୍ଷରୁ ଏହି ପ୍ରୟାସ କରାଯାଇଥିବା ଦେଖାଯାଇଛି ।