jayashree

ଆବର୍ଜନା ପାହାଡ଼ ତଳେ ବଲାଙ୍ଗିର, ଅଚଳ ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ନେଇ ଚିନ୍ତା

  • ବଲାଙ୍ଗିର କେତେ ସ୍ୱଚ୍ଛ, କେତେ ସୁସ୍ଥ ? ବଲାଙ୍ଗିର ସ୍ୱାଭିମାନ ମଂଚ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉନ୍ନତିର ମାର୍ଗରେ ବଲାଙ୍ଗିର ଯେ, ଆଗେଇ ଚାଲିଛି ତାକୁ ଅସ୍ୱୀକାର କରି ହେବ ନାହିଁ । ଜନସଂଖ୍ୟା ବଢିଲା, ଲୋକଙ୍କ ଜୀବନ ଶୈଳୀ ବଦଳିଲା, କୋଠାବାଡି ସଂଖ୍ୟା ଅମାନିଆ ଭାବେ ବୃଦ୍ଧି ପାଇ ଚାଲିଛି । ପୁରୁଣା ଘର ସବୁ ବିକ୍ରି ହୋଇ ନଭଶ୍ଚୁମ୍ଭୀ ପ୍ରାସାଦ ଗୁଡିକର ସଂଖ୍ୟା ଦୃତ ଗତିରେ ବଢି ଚାଲିଛି । ଦୋକାନ ବଜାର ଦେଖିଲେ ବଲାଙ୍ଗିର ଏକ ମିନି ରାୟପୁର ବୋଲି ମନେ ହେଉଛି । ପ୍ରତିଦିନ ସକାଳେ ବୁଲି ଗଲାବେଳେ ପ୍ରତ୍ୟେକ ଦୋକାନ ସମ୍ମୁଖରେ ଅଳିଆ ଆବର୍ଜନା, ପଲିଥିନ୍‌, ପ୍ଲାଷ୍ଟିକ ବୋତଲ ଓ କାଗଜ ଖୋଳ କୁଢ କୁଢ ହୋଇ ଗଦା ହୋଇଥିବା ଆପଣ ଦେଖିପାରିବେ । ବୋତଲ, ପ୍ଲାଷ୍ଟିକ ଓ ଲୁହା ସାମାନ ମାନ ଜରି ଗୋଟାଳୀଙ୍କ ଦ୍ୱାରା ପ୍ରାୟତଃ ସଣ୍ଟ ହୋଇ ଗଲାପରେ ଆସେ ଘରୋଇ ଆବର୍ଜନା, ଯାହାକୁ ସଂଗ୍ରହ କରିବାର ଗୁରୁ ଦାୟିତ୍ୱ ମାଇକରେ ଗୀତ ବୋଲି ଦ୍ୱାର ଦ୍ୱାର ବୁଲୁଥିବା ସ୍ୱଚ୍ଛସାଥୀ ମାନଙ୍କ ଦ୍ୱାରା ସଂପନ୍ନ ହୋଇଥାଏ । ତେବେ ସ୍ୱତଃ ସମସ୍ତଙ୍କ ମନରେ ପ୍ରଶ୍ନ ଉଠେ ଦୈନିକ ଏହି ଆବର୍ଜନାର ପରିମାଣ କେତେ ଓ ଏହା ଯାଉଛି କୁଆଡେ ? ଏହାର ସତ୍ୟାସତ୍ୟ ଜାଣିବାକୁ ବଲାଙ୍ଗିର ସ୍ୱାଭିମାନ ମଂଚ ତରଫରୁ ଡକ୍ଟର ପ୍ରେମଚାନ୍ଦ ମହାନ୍ତି ଓ ବାମଦେବ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ ବିଜାଖମନ ସ୍ଥିତ ଆବର୍ଜନା ପରିଚାଳନା ପ୍ଲାଣ୍‌ଣ୍ଟ ତଥା ଚମଡା ଗୋଦାମ ପାଶ୍ୱର୍ବର୍ତ୍ତୀ ଡମ୍ପିଂ ୟାର୍ଡ ପରିଦର୍ଶନ ସହ ସଂପୃକ୍ତ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଆଲୋଚନାରୁ ଜଣାଗଲା ଯେ, ବଲଙ୍ଗିର ସହରରୁ ଦୈନିକ ହାରାହାରି ୪୦ ଟନ ଆବର୍ଜନା ବାହାରୁଛି ଏବଂ ଏହାର ପରିମାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରକ୍ରିୟାକରଣ ପାଇଁ ୨୦୨୧ ମସିହାରୁ ୪ଟି ସ୍ଥାନରେ ପ୍ରକ୍ରିୟାକରଣ ପ୍ଲାଣ୍ଟ ସ୍ଥାପନ କରାଯାଇଛି । ଏଥିରୁ ମୁଖ୍ୟ ପ୍ଲାଣ୍ଟଟି ବିଜାଖମନ ପାଖରେ ଅବସ୍ଥିତ । ଏଠାରେ ଶୌଚାଳୟ ଓ ପାଇଖାନାରୁ ସଂଗୃହୀତ ସେଣ୍ଟି ଟ୍ୟାଙ୍କ ପାଣିକୁ ମଧ୍ୟ ଏଣେତେଣେ ନପକାଇ ବିଶୋଧନ କରିବାକୁ ଏକ ପ୍ଲାଣ୍ଟ ବସାଯାଇଛି । ତତ୍‌ ସଂଲଗ୍ନ ଚାରୋଟି ସ୍ଥାନରେ କଠିନ ବର୍ଜ୍ୟବସ୍ତୁ ପ୍ରସେସିଂ ପ୍ରକଳ୍ପ ଥିବାର ମଂଚ ସଦସ୍ୟମାନେ ଦେଖିଲେ କିନ୍ତୁ ଦୁଃଖର କଥା କୌଣସି ପ୍ରକଳ୍ପ କାର୍ଯ୍ୟକ୍ଷମ ନଥିଲା । ପରେ ବୁଝିଲା ବେଳକୁ ସେଠାକୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି ବୋଲି ଜଣାପଡିଲା । କର୍ମଚାରୀମାନଙ୍କୁ ଏହି ସବୁ ୟୁନିଟ୍‌ରେ ମେସିନ କରୁଥିବା କାମକୁ ହାତରେ କରିବାକୁ କୁହାଯାଉଛି ବୋଲି ମତ ପ୍ରକାଶ କରିଥିଲେ । ନିୟମିତଃ ସବୁ ଆବର୍ଜନାକୁ ଏହି ପ୍ରକଳ୍ପ ନିକଟରେ ରଖିବା କଥା କିନ୍ତୁ ଏଥିପାଇଁ ଉଦ୍ଧିଷ୍ଟ ପ୍ରାୟ ୪୦୦ ଏକର ଜମି ଜବର ଦଖଲରେ ଥିବାରୁ ଡମ୍ପିଙ୍ଗ ୟାର୍ଡଟି ଏଠାରୁ ପ୍ରାୟ ୨ କି.ମି ଦୂରରେ ଚମଡା ଗୋଦାମ ପାଖରେ ମୁଖ୍ୟ ରାସ୍ତା ପାଶ୍ୱର୍ରେ ଥିବାର ଜଣାଗଲା । କେଠିଡ୍‌ ସମୟରେ ଏଢାରେ ଲାସ୍‌ ସବୁକୁ ପୋଡା ଯାଉଥିଲା । ରାସ୍ତା ପାଶ୍ୱର୍ରେ ପାହାଡ ପରିମାଣରେ ଏହି ଆବର୍ଜନା ଗଦା ହୋଇଥିବାରୁ ଦୁର୍ଗନ୍ଧରେ ନାକ ଫାଟି ପଡୁଥିଲା । ଏହାର ଅପସାରଣ ଦାବିରେ କିଛି ଦିନ ତଳେ ମୁକ୍ତି ସଂଗଠନ ନାମକ ଏକ ସଂସ୍ଥା ଦ୍ୱାରା ରାସ୍ତା ରୋକ କରାଯାଇଥିଲା । ଫଳତଃ ବର୍ତ୍ତମାନ ପାଇଁ କି ଏଠାରୁ କିଛି ଦୂର ଭିତରକୁ ଏହି ୟାର୍ଡକୁ ଘୁଂଚାଇ ଦିଆଯାଇଛି । କିନ୍ତୁ ଉଦ୍ଦେଶ୍ୟ ଆଜି ପର୍ଯ୍ୟନ୍ତ ପୁରା ହୋଇ ପାରିଲା ନାହିଁ । ଭିତରକୁ ଯେତେ ଦୂର ଦୃଷ୍ଟି ନିକ୍ଷେପ କଲେ ବି ଏହି ପାହାଡ ସଂଖ୍ୟା କମିବାର ଦିଶୁନାହିଁ । ପିରାମିଡ ଭଳି ବିଶାଳ ସ୍ଥୁପମାନ ଏଠି ବିଦ୍ୟମାନ ଥିବାର ଦେଖାଗଲା । ପ୍ରତ୍ୟେକ ପାହାଡର ପାଦଦେଶରେ ଶହଶହ ସଂଖ୍ୟକ ଗୋରୁଗାଈ ଚରୁଥିବାର ବିକଳ ଦୃଶ୍ୟ ଏଠି ଦେଖିବାକୁ ମିଳିଥିଲା । ଠାଏଠାଏ ଔଷଧ ଗଦା ସବୁ ଜଳି ବିଷାକ୍ତ ଧୂଆଁ ଆକାଶକୁ ଉଠୁଥିବା ସଦସ୍ୟମାନେ ଦେଖିଥିଲେ । ସବୁଠାରୁ ବିପଜ୍ଜନକ ବିଷୟ ଥିଲା ଅହରହ ଜଳୁଥିବା ଏହି ପାହାଡ ଭଳି ଆବର୍ଜନାରୁ ବାହାରୁ ଥିବା ବିଷାକ୍ତ ବାଷ୍ପର ନଭଶ୍ଚୁମ୍ଭୀ ଧାର । ସମସ୍ତେ ଜାଣିବା ଦରକାର ଯେ, ପ୍ଲାଷ୍ଟିକ୍‌ ଓ ପଲିଥିନ ଜଳିଲା ବେଳେ ଏଥିରୁ ଡାଇଗକ୍ସିନ ବୋଲି ଏକ ବିଷାକ୍ତ ବାଷ୍ପ ବାହାରେ ଯାହା ମନୁଷ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ ଅଟେ । ପ୍ରକୃତରେ ଖୋଲା ପଡିଆରେ ଏଗୁଡିକୁ ନଜାଳି ସେଥିପାଇଁ ଇନସିନେରେଟର ସ୍ଥାପନ କରିବା ପାଇଁ ମଂଚ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଯାହାହେଉ ଆଲୋଚନା ସମୟରେ ଏକ ନୂତନ ତଥ୍ୟ ସାମ୍ନାକୁ ଆସିଲା ଯାହା ସମସ୍ତଙ୍କ ପାଇଁ ଏକ ଆଶ୍ୱସ୍ଥିକର ଖବର । ଆଗାମୀ କିଛି ମାସ ମଧ୍ୟରେ ଏକ ଚୁକ୍ତିନାମା ଅନୁସାରେ ଡାଲମିଆ ସିମେଂଟ କମ୍ପାନୀ ସମସ୍ତ ପ୍ଲାଷ୍ଟିକ ଓ ପଲିଥିନ ଜାତୀୟ ବର୍ଜ୍ଜ୍ୟ ବସ୍ତୁକୁ ଏଠୁ ଟ୍ରକ୍‌ ମାଧ୍ୟମରେ ହଟାଇ ତାକୁ ପୁନଃଚକ୍ରୀକରଣ ପ୍ରକ୍ରିୟାରେ ରାସ୍ତା କାମ ପାଇଁ ବ୍ୟବହାର କରିବେ ଏବଂ ପ୍ରତି ବଦଳରେ ମ୍ୟୁନିସିପାଲିଟିକୁ ଟ୍ରକ୍‌ ପିଛା ୬୦୦ ଟଙ୍କା ଦେୟ ଆକାରରେ ଦେବ । ମଂଚର ଅନୁରୋଧ କ୍ରମେ ନିର୍ବାହୀ ଅଧିକାରୀ ଟାଟା ପାୱାର ଅଧିକାରୀଙ୍କ ସହ ପ୍ରକଳ୍ପ ୟୁନିଟର ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟ ଶୀଘ୍ର ସାରିବାକୁ ଅନୁରୋଧ କରିଥିଲେ । ସବୁଠାରୁ ପ୍ରଶଂସନୀୟ କାର୍ଯ୍ୟ ଥିଲା ପାଇଖାନା ସେଣ୍ଟ୍ରି ଟ୍ୟାଙ୍କରୁ ସଂଗୃହୀତ ହେଉଥିବା ଦୂଷିତ ପଦାର୍ଥକୁ ପୁନଃ ବ୍ୟବହାର ଯୋଗ୍ୟ ଜଳରେ ପରିଣତ କରିବାର ଏକ ପ୍ରକଳ୍ପ । ତାହା ସଠିକ ରୂପେ କାର୍ଯ୍ୟ କରୁଥିବା କଥା ମଂଚର ସଦସ୍ୟମାନେ ଅନୁଭବ କରିପାରିଥିଲେ । ଏଥିରେ ସଂଲଗ୍ନ ଣ୍ଟେବଲ ଆନଏରୋବିକ୍‌ ବାୟୋ ରିଏକ୍ଟରରେ ପରିଶୋଧନ ପରେ ସେଥିରୁ ସଂଗୃହୀତ ଜଳକୁ ବଗିଚା କାମ କିମ୍ବା ଘର ତିଆରି କାର୍ଯ୍ୟ ପାଇଁ ବିନିଯୋଗ କରାଯାଉଛି ବୋଲି ସେଠି କାର୍ଯ୍ୟରତ କର୍ମଚାରୀ ପ୍ରକାଶ କରିଥିଲେ । ଏଠାରେ ଜଳର ମାନ ନିର୍ଦ୍ଧାରଣ ପାଇଁ ଏକ ପରୀକ୍ଷାଗାର ରହିଛି ଯେଉଁଠାରେ ଜଳର ପିଏଚ, ତାପମାତ୍ରା, ବିଓଡି, ସିଓଡି ଇତ୍ୟାଦି ମାପିବା ପାଇଁ ପର୍ଯ୍ୟାପ୍ତ ସୁବିଧା ରହିଛି । କିନ୍ତୁ ଅନୁଶୋଚନାର ବିଷୟ ଏହି ଯେ, ଏଥିରୁ ବାହାରୁ ଥିବା କଠିନ ବର୍ଜ୍ୟ ଯାହା କମ୍ପୋଷ୍ଟ ଖତ ଆକାରରେ ବିକ୍ରି କରାଯିବା କଥା ତାହା ଏ ପର୍ଯ୍ୟନ୍ତ ସଫଳ ହୋଇ ପାରିନାହିଁ । ଏକ ସୁସ୍ଥ ସମାଜ ଗଠନ ପାଇଁ ସୁସ୍ତ ପରିବେଶ ନିହାତି ଦରକାର ଯାହ ସମ୍ଭବ ହେବ ଜନ ସାଧାରଣଙ୍କ ସକ୍ରିୟ ସହ ଯୋଗଦ୍ୱାରା । ଏଥିପାଇଁ କେତୋଟି ସାଧାରଣ ନିୟମ ହେଲା ପଲିଥିନ ବ୍ୟବହାରରେ ସଂଯମତା, ଘରୁ ବାହାରୁଥିବା ଅଳିଆକୁ ଶୁଖିଲା, ଓଦା ଓ ବିପଜ୍ଜନକ ବସ୍ତୁକୁ ଅଲଗା ବ୍ୟାଗରେ ରଖି ସଂଗ୍ରହକାରୀଙ୍କୁ ଦିଅନ୍ତୁ । ଇଲେକ୍ଟ୍ରୋନିକ ବଜ୍ୟୁ ବସ୍ତୁକୁ ମଧ୍ୟ ଅଲଗା ଭାବେ ଏମାନଙ୍କୁ ଦିଅନ୍ତୁ । ମଂଚ ଲକ୍ଷ୍ୟ କଲାଯେ ଇ-ଆବର୍ଜନା ଜନିତ ପରିଚାଳନା ପାଇଁ ଏଠାରେ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ । ଏଥିପାଇଁ ଧ୍ୟାନ ଦେବାକୁ ମଂଚ ପକ୍ଷରୁ ଅନୁରୋଧ କରା ଯାଇଥିଲା । ଏହି ଦଳରେ ତ୍ରିଲୋଚନ ମହାପାତ୍ର, ଡା ପ୍ରଶାନ୍ତ ପ୍ରଧାନ, ସୁରେନ୍ଦ୍ର ତ୍ରିପାଠୀ, ବୁଠି ବେହେରା, ରାଘବ ପାଣିଗ୍ରାହୀ, ଏଡଭୋକେଟ ଉମାକାନ୍ତ ସାହୁ, ଚିତ୍ତ ରଞ୍ଜନ ପୁରୋହିତ, ରଞ୍ଜନ ପ୍ରଧାନ ଜ୍ୟୋତିରାଜ ନାଗ, ଭକ୍ତବନ୍ଧୁ ଯୋଷୀ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.