
ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଜାତୀୟ ପ୍ରେସ୍ ଦିବସ -୨୦୨୬ ଅତ୍ୟନ୍ତ ଉତ୍ସାହ ସହ ପାଳିତ ହୋଇଯାଇଛି । ଚଳିତ ବର୍ଷର ଏହି ଜାତୀୟ ଦିବସର ମୁଖ୍ୟ ପ୍ରସଙ୍ଗ ବା ବିଷୟବସ୍ତୁ ସାମ୍ବାଦିକତା : ଲୋକପ୍ରିୟତା ବନାମ କର୍ତ୍ତବ୍ୟ ବୋଧ ଉପରେ ଏକ ବ୍ୟାପକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକରୁ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ ଏବଂ ଡିଜିଟାଲ୍ ମିଡ଼ିଆର ବହୁସଂଖ୍ୟକ ପ୍ରତିଷ୍ଠିତ ସାମ୍ବାଦିକ ଯୋଗ ଦେଇ ଏହି ମହୋତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣମାଧ୍ୟମର ସ୍ୱାଧୀନତା, ସାମାଜିକ ଉତ୍ତରଦାୟିତ୍ୱ ଏବଂ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ଏବଂ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ମହେନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକତାର ନୈତିକତା ଓ ବୃତ୍ତିଗତ ମୂଲ୍ୟ ବୋଧ ଉପରେ ନିଜର ମତ ବ୍ୟକ୍ତ କରିଥିଲେ । ସଭାର ମୁଖ୍ୟବକ୍ତା ତଥା ବିଶିଷ୍ଟ ସାମ୍ବାଦିକ ତଥା ‘ଏଜେନ୍ସ ଫ୍ରାନ୍ସ ପ୍ରେସ୍’ର ସେଣ୍ଟ୍ରାଲ୍ ଇଣ୍ଡିଆ ପ୍ରତିନିଧି ପ୍ରକାଶ ଚନ୍ଦ୍ର ହୋତା ଯୋଗଦେଇ ମୁଖ୍ୟ ଆଲୋଚନା ପ୍ରଦାନ କରିଥିଲେ । ସେ ନିଜର ବକ୍ତବ୍ୟରେ ଗୁରୁତ୍ୱାରୋପ କରି କହିଥିଲେ ଯେ, ବିଶ୍ୱାସନୀୟତା ଏବଂ ନୈତିକତା ହେଉଛି ସାମ୍ବାଦିକତାର ପ୍ରମୁଖ ମାଧ୍ୟମ ।” ଜଣେ ସାମ୍ବାଦିକ ଯେତେବେଳେ ନିଜର ବୃତ୍ତିଗତ ନୈତିକତା ଏବଂ ସତ୍ୟନିଷ୍ଠାକୁ ବଜାୟ ରଖିଥାଏ, ସେତେବେଳେ ସେ କ୍ୟାରିଅରରେ ପ୍ରକୃତରେ ସଫଳତା ହାସଲ କରି ପାରିଥାଏ । କେବଳ ଲୋକ ପ୍ରିୟତା ପଛରେ ନ ଦୌଡ଼ି ନିଜର କର୍ତ୍ତବ୍ୟବୋଧକୁ ପ୍ରାଥମିକତା ଦେବା ହିଁ ପ୍ରକୃତ ସାମ୍ବାଦିକତାର ପରିଚୟ ବୋଲି ସେ ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନତ ପାଢ଼ୀ ସୁଚାରୁ ରୂପେ ପରିଚାଳନା କରିଥିଲେ । ସଭା ଶେଷରେ ଜିଲ୍ଲାରେ ନିଷ୍ଠାପର ଏବଂ ସତ୍ୟ ପ୍ରତିଷ୍ଠିତ ସାମ୍ବାଦିକତା ଜରିଆରେ ସମାଜକୁ ସଠିକ୍ ମାର୍ଗଦର୍ଶନ କରୁଥିବା ସମସ୍ତ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିଲା ।