
ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ତରଫରୁ କାର୍ତ୍ତିକ ମାହାତ୍ମ୍ୟ ଉପରେ ଏକ ଆଧ୍ୟାତ୍ମିକ କଥାମୃତ କାର୍ଯ୍ୟକ୍ରମ କୋଏଲ ନଗର ଏ ବ୍ଲକ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ଓ ବାବା ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି କଥାମୃତ କାର୍ଯ୍ୟକ୍ରମରେ ଜଗନ୍ନାଥ ସଂସ୍କୃତି ଗବେଷକ ଓ ପ୍ରବଚକ ଡା. ଆଶୁତୋଷ ପ୍ରସାଦ ମିଶ୍ର ତଥା ଶ୍ରୀମନ୍ଦିର ଚୁନୁରା ସେବାୟତ ଡ. ଶରତ ମହାନ୍ତି ଯୋଗଦେଇ ଥିଲେ । ମୁଖ୍ୟ ପ୍ରବକ୍ତା ଡା. ମିଶ୍ର କାର୍ତ୍ତିକ ମାହାତ୍ମ୍ୟ ଉପରେ ଆଲୋଚନା କରି କହିଲେ ଯେ, ମଠର ସମ୍ପତ୍ତି ହେଲା ଅ ଓ ଆ । ଅରୁ ଅଶ୍ରୁ ଓ ଆରୁ ଆଶ୍ରୟ । ଏହା ହିଁ ଭକ୍ତଙ୍କ ସମ୍ପତ୍ତି । ଯିଏ ଆମ ହାତ ଛାଡନ୍ତି ନାହିଁ ସିଏ ହେଲେ ମହାପ୍ରଭୂ । ସେହିପରି ମାସ ମଧ୍ୟରେ ପ୍ରଥମ ମାସ ମାର୍ଗଶୀର ଓ ଶେଷ ମାସ ହେଲା କାର୍ତ୍ତିକ । ମଣିଷ ଜୀବନର ଅନ୍ତିମ ଲକ୍ଷ୍ୟ ହେଲା ଜଗନ୍ନାଥଙ୍କ ସହ ମିଳନ । ବର୍ଷରେ ପ୍ରଭୁଙ୍କର ୬ ଥର ପହଣ୍ଡି କରାଯାଏ । ସେ ଖାଲି ନାମରେ ଜଗନ୍ନାଥ ନୁହଁନ୍ତି କାମରେ ମଧ୍ୟ ଜଗନ୍ନାଥ । ସେ କାହିଁକି ଜଗତର ନାଥ ତାହାର ବିଭିନ୍ନ ଉଦାହରଣ ଦେଇଥିଲେ । ସେହିପରି ଚୁନୁରି ସେବାୟତ ଡ. ମହାନ୍ତି ତାଙ୍କ ବକ୍ତବ୍ୟରେ କହିଲେ ଯେ, ମହାପ୍ରଭୂ ସେବକଙ୍କୁ କେବେ ନିରାଶ କରନ୍ତି ନାହିଁ । ଏହାସହ ସେ ଜଗନ୍ନାଥଙ୍କ ମାହାତ୍ମ୍ୟ ଉପରେ ଆଲୋଚନା କରିଥିଲେ । କଥାମୃତ ସମାପନ ପରେ ସମସ୍ତ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ମ୍ୟାନେଜିଂ ଟ୍ରଷ୍ଟି ଇଂ ଆଲୋକ ରଂଜନ ମଲ୍ଲିକ, ବ୍ରଜେନ୍ଦ୍ର ଦାଶ, ମନୋଜ ପଣ୍ଡା, ପ୍ରଦୀପ ପଣ୍ଡା, ଅମୂଲ୍ୟ ମିଶ୍ର, ସୁଶିଲ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ ।