
- ବ୍ରାହ୍ମଣ ସମାଜର ଏକତା, କର୍ତ୍ତବ୍ୟ ଓ ସାମାଜିକ ଦାୟିତ୍ୱ ଉପରେ ଗୁରୁତ୍ୱ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା, ବଲାଙ୍ଗିର ପକ୍ଷରୁ ବାର୍ଷିକୋତ୍ସବ–୨୦୨୬ ସହ ନୂଆଁଖାଇ ଭେଟଘାଟ ଉତ୍ସବ ଆୟୋଜିତ ହୋଇଯାଇଛି । ମହାସଭାର ଉପସଭାପତି ବିଶ୍ୱନାଥ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ବ୍ରାହ୍ମଣ ସମାଜର ଏକତା, ପରମ୍ପରା, କର୍ତ୍ତବ୍ୟ ଓ ସାମାଜିକ ଦାୟିତ୍ୱକୁ ନେଇ ଆଲୋଚନା ହୋଇଥିଲା । ଉତ୍ସବରେ ଅଖିଳ ଓଡ଼ିଶା ବ୍ରାହ୍ମଣ ମହାସଭାର ମହାସଚିବ ବିଦୁଷୀ ଶ୍ରଦ୍ଧା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ପ୍ରଫେସର ମଧୁସୂଦନ ପତି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ରାଜେନ୍ଦ୍ର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ପଣ୍ଡିତ ସତ୍ୟବନ୍ତ ବେଦବାକ, ବ୍ରହ୍ମଶ୍ରୀ ଗିରିଧାରୀ ଶତପଥୀ ଓ ବିପ୍ରଶ୍ରୀ ଗୋପବନ୍ଧୁ ପୁରୋହିତ ଯୋଗଦେଇଥିବା ବେଳେ ମହାସଭାର ସମ୍ପାଦକ ପଣ୍ଡିତ ଶ୍ୟାମସୁନ୍ଦର ଦାଶ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ଭଗବାନ ପର୍ଶୁରାମଙ୍କ ସମ୍ମୁଖରେ ପଣ୍ଡିତ ଲକ୍ଷ୍ମୀପ୍ରସାଦ ଚାନ୍ଦ ଓ ବ୍ରହ୍ମଶ୍ରୀ ଗିରିଧାରୀ ଶତପଥୀଙ୍କ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଅତିଥିମାନେ ଦୀପ ପ୍ରଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ୯୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବରିଷ୍ଠ ବ୍ରାହ୍ମଣ ଲୋକନାଥ ମିଶ୍ର, ଯୋଗୀକର ମିଶ୍ର ଓ ଅଯୋଧ୍ୟା ମିଶ୍ରଙ୍କୁ ପାରମ୍ପରିକ ରୀତିରେ ପଦପ୍ରକ୍ଷାଳନ କରିବା ସହ ଫୁଲ, ଚନ୍ଦନ ଓ ନୂତନ ବସ୍ତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ପରେ ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ କାରଣରୁ ପ୍ରାଣ ହରାଇଥିବା ଜନସାଧାରଣ ତଥା ବ୍ରାହ୍ମଣ ସମାଜର ଦିବଂଗତ ବ୍ୟକ୍ତିମାନଙ୍କ ଆତ୍ମାର ସଦ୍ଗତି କାମନା କରି ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ସମ୍ପାଦକ ପଣ୍ଡିତ ଶ୍ୟାମସୁନ୍ଦର ଦାଶ ସ୍ୱାଗତ ଭାଷଣ ଦେବା ସହ ବାର୍ଷିକ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ବ୍ରାହ୍ମଣ ସମାଜର ପାରମ୍ପରିକ ଦାୟିତ୍ୱ, ବର୍ତ୍ତମାନର ସାମାଜିକ ସ୍ଥିତି, ସମାଜ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗ ଉପରେ ଆଲୋକପାତ କରିଥିଲେ । ସମାଜରେ ଏକତା, ପାରସ୍ପରିକ ସହଯୋଗ ଓ ସାମୂହିକ ଦାୟିତ୍ୱବୋଧ ବୃଦ୍ଧି ସହ ନିଜର ମୌଳିକ ମୂଲ୍ୟବୋଧ ଓ ସାଂସ୍କୃତିକ ପରମ୍ପରାର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ମତ ପ୍ରକାଶ ପାଇଥିଲା । ଶେଷରେ ପ୍ରିୟବ୍ରତ ମିଶ୍ର ଧନ୍ୟବାଦ ଅର୍ପଣ କରିବା ପରେ ସଭା ସମାପ୍ତ ହୋଇଥିଲା । ଉତ୍ସବର ସଫଳ ଆୟୋଜନ ଓ ପରିଚାଳନାରେ ପଞ୍ଚାନନ ବେଦବାକ, ସରୋଜ ବେହେରା, କବିରାଜ ହୋତା, ଜଗନ୍ନାଥ ଷଡ଼ଙ୍ଗୀ, ପୁରୁଷୋତ୍ତମ ପଣ୍ଡା, କାଳୀପ୍ରସାଦ ମିଶ୍ର, ରାଜକିଶୋର ଦାଶ, ସଞ୍ଜୟ ପୁରୋହିତ, ସୁଭାଷ ତ୍ରିପାଠୀ, ମଧୁମଙ୍ଗଳ ନନ୍ଦ, ବିଭୂତି ମିଶ୍ର, ଲଳିତା ବେଦବାକ, ସୁନୀତା ଷଡ଼ଙ୍ଗୀ, ସଂଯୁକ୍ତା ମିଶ୍ର ଓ ଗୋବର୍ଦ୍ଧନ ଶତପଥୀଙ୍କ ସମେତ ଅନ୍ୟ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ ।