jayashree

କଳାହାଣ୍ଡିର ୧୫ ଖେଳାଳିଙ୍କ ମଧ୍ୟରେ ବ୍ଲକ୍‌ରୁ ଏକମାତ୍ର ପ୍ରତିନିଧି

ମ. ରାମପୁର, (ପି. କେ. ସାହୁ) : ଫୁଟବଲ୍ ପ୍ରତି ଅଦମ୍ୟ ଆଗ୍ରହ, କଠିନ ପରିଶ୍ରମ ଓ ନିଷ୍ଠା ବଳରେ ବ୍ଲକ୍‌ସ୍ତରରୁ ଜିଲ୍ଲା ଅତିକ୍ରମ କରି ରାଜ୍ୟସ୍ତରରେ ପହଞ୍ଚିଛନ୍ତି କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ୍‌ ଅଲାତରା ଗ୍ରାମର ଶୁଭମ ସାହୁ । ଅଣ୍ଡର-୧୭ ବାଳକ ବର୍ଗରେ ରାଜ୍ୟସ୍ତରୀୟ ଫୁଟବଲ୍ ଚାମ୍ପିଅନସିପ୍‌ରେ ଅଂଶଗ୍ରହଣ କରି ସେ ନିଜ ପରିବାର ସହ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଶୁଭମ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମଦନପୁରର ନବମ ଶ୍ରେଣୀର ଛାତ୍ର । ତାଙ୍କ ବାପା ପ୍ରଦୀପ କୁମାର ସାହୁ ଓ ମାଆ ମମିତା ସାହୁ । ବ୍ଲକ୍‌ସ୍ତରୀୟ ଫୁଟବଲ୍ ପ୍ରତିଯୋଗିତାରେ ନିଜ ଦକ୍ଷତା ପ୍ରଦର୍ଶନ କରି ସେ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲେ । ପରେ ଜିଲ୍ଲାସ୍ତରରୁ ରାଜ୍ୟସ୍ତରୀୟ ଦଳରେ ସ୍ଥାନ ପାଇଥିଲେ । ଅଣ୍ଡର-୧୭ ବାଳକ ବର୍ଗରେ କଳାହାଣ୍ଡି ଜିଲ୍ଲାରୁ ମନୋନୀତ ୧୫ ଜଣ ଖେଳାଳିଙ୍କ ମଧ୍ୟରେ ମ. ରାମପୁର ବ୍ଲକ୍‌ରୁ ସେ ଏକମାତ୍ର ଖେଳାଳି ହୋଇଥିବାରୁ ଏହା ଅଞ୍ଚଳ ପାଇଁ ଏକ ଗୌରବର ବିଷୟ ପାଲଟିଛି । ଅକ୍ଟୋବର ୮ରୁ ୧୧ ତାରିଖ ପର୍ଯ୍ୟନ୍ତ କୋରାପୁଟଠାରେ ଆୟୋଜିତ ରାଜ୍ୟସ୍ତରୀୟ ଫୁଟବଲ୍ ଚାମ୍ପିଅନସିପ୍‌ରେ ଶୁଭମ ଭାଗ ନେଇ ପ୍ରମାଣପତ୍ର ହାସଲ କରିଛନ୍ତି । ଏହି ସଫଳତା ପଛରେ ଫୁଟବଲ୍ ପ୍ରଶିକ୍ଷକ ନିତେଶ କୁମାର ମିଶ୍ରଙ୍କ ମାର୍ଗଦର୍ଶନ, ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ତାଙ୍କୁ ଆଗକୁ ବଢ଼ିବାରେ ସହାୟକ ହୋଇଛି । ଶୁଭମଙ୍କ ଏହି ସଫଳତାରେ ପରିବାର, ବିଦ୍ୟାଳୟ, ପ୍ରଶିକ୍ଷକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି । ଆଗାମୀ ଦିନରେ ଜାତୀୟସ୍ତରରେ ଫୁଟବଲ୍ ଖେଳି ଦେଶ ପାଇଁ ପ୍ରତିନିଧିତ୍ୱ କରିବା ତାଙ୍କର ସ୍ୱପ୍ନ । ଶୁଭମଙ୍କ ଏହି ସଫଳତା ଅଞ୍ଚଳର ଅନ୍ୟ ଯୁବ ଖେଳାଳିଙ୍କୁ ମଧ୍ୟ କ୍ରୀଡ଼ା କ୍ଷେତ୍ରରେ ନିଜ ପ୍ରତିଭା ପ୍ରଦର୍ଶନ କରି ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.