
ବଲାଙ୍ଗିର, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲାରେ ତିନୋଟି ଟ୍ରକ୍ ମଧ୍ୟରେ ସିରିଜ୍ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଟି ଟ୍ରକ୍ର ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି । ସଇଁତଲା ଥାନା ଅନ୍ତର୍ଗତ ନବୀନ ଛକରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ, ଭବାନୀପାଟଣାରୁ ଲୁହା ଏଙ୍ଗଲ୍ ବୋଝେଇ କରି ବଲାଙ୍ଗିର ଅଭିମୁଖେ ଆସୁଥିବା ଏକ ଟ୍ରକ୍ ସହ ବଲାଙ୍ଗିରରୁ ବିପରୀତ ଦିଗକୁ ଆସୁଥିବା ବେଦାନ୍ତର ଏକ ଗାଡ଼ି ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ବଲାଙ୍ଗିର ପଟରୁ ହିଁ ପଛରୁ ଆସୁଥିବା ଅନ୍ୟ ଏକ ଟ୍ରକ୍ ମଧ୍ୟ ଏହି ଦୁର୍ଘଟଣାଗ୍ରସ୍ତ ଦୁଇଟି ଟ୍ରକ୍କୁ ଧକ୍କା ଦେଇଥିଲା । ଫଳରେ ତିନୋଟି ଗାଡ଼ି ମଧ୍ୟରେ ସିରିଜ୍ ଦୁର୍ଘଟଣା ଘଟିଥିଲା । ଏଥିରେ ଜଣେ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି । ଖବର ପାଇ ସଇଁତଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରଖିଛି ।