jayashree

ସୁବର୍ଣ୍ଣପୁରରେ ଇଣ୍ଡି ମେଣ୍ଟର ବନ୍ଦ ଶାନ୍ତିପୂର୍ଣ୍ଣ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଇଣ୍ଡି ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ସୁବର୍ଣ୍ଣପୁର ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ସହ ସଫଳ ହୋଇଛି । ଏମଏମଡିଆର୍‌ ଆଇନ ରଦ୍ଦ, ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ବରଖାସ୍ତ, ପାଠ୍ୟପୁସ୍ତକ ମୁଦ୍ରଣରେ ତ୍ରୁଟି ପାଇଁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତଙ୍କୁ ତୁରନ୍ତ ସହାୟତା ପ୍ରମୁଖ ୪ ଦଫା ଦାବିରେ ଇଣ୍ଡି ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ସୁବର୍ଣ୍ଣପୁର ଜିଲ୍ଲାରେ ସଫଳ ହୋଇଛି । ବନ୍ଦ ପ୍ରଭାବରେ ସୋନପୁର ସହର ସମେତ ଜିଲ୍ଲାର ବିନିକା, ଡୁଙ୍ଗୁରିପାଲି, ଉଲୁଣ୍ଡା, ବୀରମହାରାଜପୁର ଓ ତରଭା ବ୍ଲକ୍ ଅଞ୍ଚଳରେ ମଧ୍ୟ ଜନଜୀବନ ଠପ ହୋଇପଡ଼ିଥିଲା । ବନ୍ଦକୁ ସମର୍ଥନ କରି କଂଗ୍ରେସ ଓ ସହଯୋଗୀ ଦଳର କର୍ମୀମାନେ ସକାଳୁ ବିଭିନ୍ନ ପ୍ରମୁଖ ଛକ ଓ ରାସ୍ତାରେ ପିକେଟିଂ କରିଥିଲେ । ଆନ୍ଦୋଳନକାରୀମାନେ ଏମଏମଡିଆର୍‌ ବିଲ୍‌ ବିରୋଧରେ ନାରାବାଜି କରିବା ସହ ନିର୍ବାଚନ କମିଶନଙ୍କ ବହିଷ୍କାର ଦାବୀ କରିଥିଲେ । ବନ୍ଦର ପ୍ରଭାବରେ ସହରରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା । ବସ୍‌ ଚଳାଚଳ ବନ୍ଦ ରହିବା ସହ ଅନେକ ଯାନବାହନ ବିଭିନ୍ନ ସ୍ଥାନରେ ଅଟକି ରହିଥିଲା । ଦୋକାନ, ବଜାର ଓ ବିଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଥିଲା । ସାଧାରଣ ଯାତାୟାତ ବ୍ୟାହତ ହେବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଜିଲ୍ଲାପାଳ କାର୍ଯ୍ୟାଳୟ, ଜିଲ୍ଲା କୋର୍ଟ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିଥିଲା । ସହରର ସମସ୍ତ ସ୍କୁଲ, କଲେଜ, ବ୍ୟାଙ୍କ ଭଳି ଅନୁଷ୍ଠାନ ମଧ୍ୟ ପ୍ରଭାବିତ ହୋଇଥିଲା । ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ବନ୍ଦରେ ଡିସିସି ସଭାପତି ବିନୋଦ ପାତ୍ର, ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ସୁଧୀର କୁମାର ପଣ୍ଡା, ଟାଉନ ସଭାପତି ରଞ୍ଜିତ ରାୟଙ୍କ ସମେତ ଜିତେନ୍ଦ୍ର ପଟ୍ଟନାୟକ, ମାଧବ କୁମ୍ଭାର, ଗୋବିନ୍ଦ ମହାରଣା(ଏସୟୁସିଆଇ), ରାଜେନ୍ଦ୍ର ମେହେର, ଶେଷ ମେହେର, ସଚି ସାହୁ, ଲକ୍ଷ୍ମଣ ସୁନା, ନିମାଇଁ ପାଣିଗ୍ରାହୀ, ଭାଗିରଥୀ ମିଶ୍ର, ଜିତେନ୍ଦ୍ର କୁମ୍ଭାର, ଭରତ ଜେନା, ବାବଲୁ କୁମ୍ଭାର, ସନ୍ତୋଷ ମେହେର, ମହମ୍ମଦ ଇମ୍ରାନ, ଶିଶିର ମେହେର, ସୁବାସ ବିଷୋଇ, କୃତିବାସ ପାଣିଗ୍ରାହୀ, ଅବକାଶ ଦର୍ଜୀ ପ୍ରମୁଖଙ୍କ ସମେତ କଂଗ୍ରେସ ର ବହୁ ଦଳୀୟ ନେତା ଓ କର୍ମୀ ନେତୃତ୍ୱ ନେଇଥିଲେ । ତେବେ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍‌ ଦିଆଯାଇଥିଲା ।

Leave A Reply

Your email address will not be published.