jayashree

ବଲାଙ୍ଗିରରେ କୃଷିଭିତ୍ତିକ ଶିଳ୍ପ ବିକାଶ ପାଇଁ ଡ. ନିରଞ୍ଜନ ବିଶିଙ୍କ ଉଦ୍ୟମ

  • ପୂର୍ବତନ ସାଂସଦଙ୍କ ପତ୍ରର ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ; ୯୦.୭୨ କୋଟି ଟଙ୍କାର ଦୁଇଟି ପ୍ରକଳ୍ପକୁ ମଞ୍ଜୁରି, ୧୦୬ଟି କ୍ଷୁଦ୍ର ଉଦ୍ୟୋଗ ପାଇଁ ୨.୮୦ କୋଟି ଟଙ୍କାର ସବସିଡି ଅନୁମୋଦିତ।

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କୃଷିଭିତ୍ତିକ ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ବିକାଶ ପାଇଁ ପୂର୍ବତନ ରାଜ୍ୟସଭା ସାଂସଦ ତଥା ଆଦିବାସୀ ନେତା ଡ. ନିରଞ୍ଜନ ବିଶିଙ୍କ ଉଦ୍ୟମକୁ ମିଳିଛି କେନ୍ଦ୍ରର ସକାରାତ୍ମକ ଜବାବ । ବଲାଙ୍ଗିରର ଶିଳ୍ପ ବିକାଶ ସମ୍ପର୍କରେ ଡ. ବିଶି ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରର ଜବାବ ଦେଇଛନ୍ତି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପମନ୍ତ୍ରୀ ଚିରାଗ ପାସୱାନ । ମନ୍ତ୍ରୀଙ୍କ ଜବାବ ଅନୁସାରେ, ବଲାଙ୍ଗିର ଜିଲ୍ଲାରେ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦା ଯୋଜନା ଅଧୀନରେ ସମନ୍ୱିତ ଶୀତଳ ଶୃଙ୍ଖଳ ଓ ମୂଲ୍ୟବର୍ଦ୍ଧିତ ଭିତ୍ତିଭୂମି ସମ୍ପର୍କିତ ଦୁଇଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏହି ଦୁଇ ପ୍ରକଳ୍ପର ମୋଟ ମୂଲ୍ୟ ପ୍ରାୟ ୯୦ କୋଟି ୭୨ ଲକ୍ଷ ଟଙ୍କା । ପ୍ରକଳ୍ପ ପାଇଁ ୧୧ କୋଟି ୧୬ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିବା ବେଳେ ୫ କୋଟି ୬୧ ଲକ୍ଷ ଟଙ୍କା ଇତିମଧ୍ୟରେ ଜାରି ହୋଇଛି । ସେହିପରି ପିଏମ୍‌ଏଫ୍‌ଏମ୍‌ଇ ଯୋଜନାରେ ଜିଲ୍ଲାର ୧୦୬ଟି ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟମ ପାଇଁ ୨ କୋଟି ୮୦ ଲକ୍ଷ ଟଙ୍କାର ସବ୍‌ସିଡି ମଞ୍ଜୁର ହୋଇଛି । ଏହି ଯୋଜନା ମାଧ୍ୟମରେ ନୂଆ ୟୁନିଟ୍ ସ୍ଥାପନ କିମ୍ବା ପୁରୁଣା ୟୁନିଟ୍‌ର ଉନ୍ନତି ପାଇଁ ଉଦ୍ୟୋଗୀମାନେ ଋଣ ସଂଯୁକ୍ତ ସବସିଡି ପାଇପାରିବେ । କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ କୃଷକ ଉତ୍ପାଦକ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ସମବାୟ ସଂସ୍ଥାଗୁଡ଼ିକୁ ମଧ୍ୟ ପ୍ରାରମ୍ଭିକ ପୁଞ୍ଜି, ସାଧାରଣ ଭିତ୍ତିଭୂମି, ବିପଣନ, ବ୍ରାଣ୍ଡିଂ ଓ ଦକ୍ଷତା ବିକାଶ ଭଳି ସୁବିଧା ମିଳିପାରିବ । ଯୋଗ୍ୟ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ପ୍ରକ୍ରିୟାରେ ଆବେଦନ କରିବାକୁ ପଡ଼ିବ । ବଲାଙ୍ଗିର ଏକ କୃଷିପ୍ରଧାନ ଜିଲ୍ଲା ହୋଇଥିବାରୁ ଏଠାରେ ଖାଦ୍ୟ ପ୍ରକ୍ରିୟାକରଣ ଓ କୃଷିଭିତ୍ତିକ ଶିଳ୍ପର ବିକାଶ ହେଲେ କୃଷକଙ୍କ ଉତ୍ପାଦର ମୂଲ୍ୟବୃଦ୍ଧି ସହ ନୂଆ ଉଦ୍ୟୋଗ ଓ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ । ଆଗ୍ରହୀ ଉଦ୍ୟୋଗୀମାନେ କେନ୍ଦ୍ରୀୟ ଯୋଜନାର ସୁଯୋଗ ନେବାକୁ ମନ୍ତ୍ରୀ ଚିରାଗ ପାସୱାନ ଡ. ନିରଞ୍ଜନ ବିଶିଙ୍କ ମାଧ୍ୟମରେ ଆହ୍ୱାନ ଜଣାଇଛନ୍ତି ।

Leave A Reply

Your email address will not be published.