
ଅତାବିରା, (ମୋହନ ସାହୁ) : ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଥିବାରୁ ଦୁଲମପୁର–ତାଲପଦରଟିକ୍ରା ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ମାହୋଲ। ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ଦୁଲମପୁରରୁ ତାଲପଦରଟିକ୍ରାକୁ ସଂଯୋଗ କରୁଥିବା ରାସ୍ତାର ପ୍ରାୟ ୦.୭୦୦ କିଲୋମିଟର ଅଂଶ ଏବଂ ନାଳ ଉପରେ ସେତୁ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ ହୋଇଛି । ପୂଜାର୍ଚ୍ଚନା ପରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ। ରାସ୍ତା ଓ ସେତୁ ନିର୍ମାଣ ହେଲେ ଅଞ୍ଚଳର ଗମନାଗମନ ବ୍ୟବସ୍ଥା ଅଧିକ ସୁଗମ ହେବା ସହ ଦୁଲମପୁର ଓ ତାଲପଦରଟିକ୍ରା ମଧ୍ୟରେ ଯୋଗାଯୋଗ ସୁଦୃଢ଼ ହେବ। ବିଶେଷକରି ଚାଷୀଙ୍କ କୃଷିଜାତ ସାମଗ୍ରୀ ପରିବହନ, ଦୈନନ୍ଦିନ ଯାତାୟାତ ଓ ଜରୁରୀ ସେବା ପାଇବାରେ ଅଞ୍ଚଳବାସୀଙ୍କୁ ସୁବିଧା ମିଳିବ ବୋଲି ଆଶା କରାଯାଉଛି। ଦୀର୍ଘଦିନର ଦାବି ପରେ ରାସ୍ତା ଓ ସେତୁ ନିର୍ମାଣର ଶୁଭାରମ୍ଭ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।