
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଘରେ କେହି ନଥିବାର ସୁଯୋଗ ନେଇ ଝରକା ବାଟେ ପଶି ସୁନା ଅଳଙ୍କାର ଚୋରି । ଚୋରି କରିଥିବା ସୁନା ବିକ୍ରି କରି ସେହି ଟଙ୍କାରେ ଟ୍ରାକ୍ଟର କିଣିଥିବା ଅଭିଯୋଗରେ କୋଟଗଡ଼ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୨.୦୮୫ ଗ୍ରାମ ସୁନା, ନଗଦ ୨,୧୦୦ ଟଙ୍କା ଏବଂ ଗୋଟିଏ ଟ୍ରାକ୍ଟର ଜବତ କରାଯାଇଛି । ପୁଲିସ ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୩୦ ତାରିଖ ରାତିରେ ଶ୍ରୀରାମପୁର ଗ୍ରାମର ଲୁସିଆନ ବଡ଼ନାୟକ ଓ ତାଙ୍କ ପରିବାର ସଦସ୍ୟ ଘରେ ନଥିବା ସମୟରେ ଅଭିଯୁକ୍ତମାନେ ଝରକା ଦେଇ ଘର ଭିତରକୁ ପ୍ରବେଶ କରିଥିଲେ । ପରେ ଆଲମାରୀ ଭାଙ୍ଗି ସେଥିରେ ଥିବା ସୁନା ଅଳଙ୍କାର ଚୋରି କରି ନେଇଥିଲେ । ଚୋରି ହୋଇଥିବା ସୁନା ଅଳଙ୍କାରକୁ ବିକ୍ରି କରି ମିଳିଥିବା ଟଙ୍କାରେ ଅଭିଯୁକ୍ତ ମାନେ ଏକ ଟ୍ରାକ୍ଟର କିଣିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି । ଘଟଣା ସମ୍ପର୍କରେ କୋଟଗଡ଼ ଥାନା କେସ୍ ନଂ-୧୮୪, ତାରିଖ ୦୪.୧୦.୨୦୨୬ ରୁଜୁ କରାଯାଇ ବିଏନ୍ଏସ୍ର ଧାରା ୩୩୧(୪)/୩୦୫(ଏ) ଅନୁଯାୟୀ ତଦନ୍ତ ଆରମ୍ଭ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ଶ୍ରୀରାମପୁର ନୂଆସାହିର ଲେଟ୍ ଚକ୍ରଧର ଉଠାଣସିଂହଙ୍କ ପୁଅ ଲିଟୁ ଉଠାଣସିଂହ, ଶ୍ରୀରାମପୁର ଓଡ଼ିଆସାହିର ନିରାକାର ବଡ଼କାନହରଙ୍କ ପୁଅ ପିତାବାସ ବଡ଼କାନହର ଏବଂ ମିଶନସାହି ଜୁବାଗୁଡ଼ାର କର୍ମ ବଡ଼ସେଠଙ୍କ ପୁଅ ପ୍ରେମାନନ୍ଦ ବଡ଼ସେଠ । ତିନିଜଣଙ୍କୁ ପୁଲିସ ଗିରଫ କରିବା ପରେ ଅଦାଲତକୁ ଚାଲାଣ କରିଛି ।