jayashree

କେ.ଭି. କଲେଜରେ ନୂଆଁଖାଇ ଭେଟଘାଟ

  • ନୂଆଁଖାଇ ଜୁହାର ଭେଟ କୋଶଳୀ ସଂସ୍କୃତି ଓ ପରମ୍ପରାର ଏକ ମହାନ ଅଂଶ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କେ.ଭି. କଲେଜର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ପବିତ୍ର ନୂଆଁଖାଇ ଅବସରରେ ଏକ ଭାବଗମ୍ଭୀର ‘ନୂଆଖାଇ ଭେଟ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ତଥା ବିଶିଷ୍ଟ ଲେଖକ ଡ. ସଞ୍ଜୟ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ପିଜି ଓଡ଼ିଆ ବିଭାଗର ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟର ଅଧ୍ୟକ୍ଷ, ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ଭେଟି ନୂଆଖାଇ ଜୁହାର ଜଣାଇଥିଲେ ଏବଂ ନୂଆଖାଇ ଭେଟ ପ୍ରଦାନ କରିଥିଲେ । ଏହି ପରମ୍ପରା ମାଧ୍ୟମରେ ଗୁରୁଜନଙ୍କ ପ୍ରତି ସମ୍ମାନ, ଆତ୍ମୀୟତା ଓ ସାମାଜିକ ସମ୍ପର୍କର ନୀବିଡ଼ତା ପ୍ରକାଶ ପାଇଥିଲା । ପରେ ଆୟୋଜିତ ସାଂସ୍କୃତିକ ସମାରୋହରେ ଛାତ୍ରଛାତ୍ରୀମାନେ ନୃତ୍ୟ, ସଙ୍ଗୀତ ଓ ବିଭିନ୍ନ ସାଂସ୍କୃତିକ ପରିବେଷଣ ମାଧ୍ୟମରେ କୋଶଳୀ ଲୋକପରମ୍ପରାର ଚିତ୍ର ପ୍ରଦର୍ଶନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ, ପ୍ଲସ୍-୨ ଇନ୍‌ଚାର୍ଜ ରାଜେଶ କୁମାର ମହାନ୍ତି, ପ୍ରଫେସର ସବିତା ମହାପାତ୍ର, ପ୍ରଭାସିନୀ ରାଉତ ରାୟ, ଯଶୋବନ୍ତ ନାରାୟଣ ମିଶ୍ର, ରୋହିତ କିଶୋର କୁମ୍ଭାର ଓ ଅନ୍ୟାମାନେ ଛାତ୍ରଛାତ୍ରୀ ମାନଙ୍କୁ ଆଶୀର୍ବାଦ ଜଣାଇବା ସହ ସେମାନଙ୍କ ସୁଖ, ସମୃଦ୍ଧି ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ଡ. ମିଶ୍ର କହିଥିଲେ, “ନୂଆଖାଇ ଜୁହାର କୋଶଳାଞ୍ଚଳର ଏକ ପ୍ରାଚୀନ ପରମ୍ପରାର ପ୍ରତୀକ । ଜୁହାର ଭେଟ ଏକ ବିଶାଳ ପରମ୍ପରାର କଥା କହେ । ଏହା କେବଳ ନୂଆ ଅନ୍ନ ଖାଇବାର ପର୍ବ ନୁହେଁ; ବରଂ ମାଟି, ମଣିଷ, ସମ୍ପର୍କ ଓ ସଂସ୍କୃତିକୁ ଏକ ସୂତ୍ରରେ ବାନ୍ଧି ରଖିଥିବା ଏକ ମହାନ ଲୋକପର୍ବ ।” ନୂଆ ପିଢ଼ି ମଧ୍ୟରେ ଏହି ପରମ୍ପରା ଓ ସାଂସ୍କୃତିକ ଚେତନାକୁ ଜୀବନ୍ତ ରଖିବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ ମହାବିଦ୍ୟାଳୟ ପରିବାର ମଧ୍ୟରେ ଏକ ସୁନ୍ଦର ପରିବେଶ ତିଆରି କରିଥିଲା ।

Leave A Reply

Your email address will not be published.