jayashree

ସୁବର୍ଣ୍ଣପୁରର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଦେବାଶିଷ ସିଂହ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାକୁ ମିଳିଲା ନୂଆ ଜିଲ୍ଲାପାଳ । ୨୦୧୫ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଧିକାରୀ ଦେବାଶିଷ ସିଂହ ନୂତନ ଜିଲ୍ଲାପାଳ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପ୍ରଥମେ ସୋନପୁରର ଇଷ୍ଟଦେବୀ ମା’ ସୁରେଶ୍ଵରୀଙ୍କୁ ଦର୍ଶନ କରିବା ପରେ ୧୦ଟା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଏଡିଏମ୍ ରାଜେନ୍ଦ୍ର ମାଝୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସଂସ୍କୃତି ସମ୍ପନ୍ନ ଓ ଆଧ୍ୟାତ୍ମିକ ଭାବ ଧାରାରେ ପରିପୂର୍ଣ୍ଣ ମନ୍ଦିର ମାଳିନୀ ସହରରେ ଜିଲ୍ଲାପାଳ ଭାବରେ ଯୋଗଦାନ କରି ମୁଁ ନିଜକୁ ଧନ୍ୟ ମନେ କରୁଛି । ଜନହିତକର କାର୍ଯ୍ୟକୁ ପ୍ରାଥମିକତା ଦେବା ସହ ସରକାରଙ୍କ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଏବଂ ମୌଳିକ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେବି ବୋଲି ସେ କହିଛନ୍ତି । ପୁଣି କହିଥିଲେ ଯେ, ଲୋକମାନଙ୍କ ବିଶ୍ୱାସ ଭାଜନ ହୋଇ ନିରପେକ୍ଷ ଭାବରେ ଯେମିତି ଜିଲ୍ଲାର ସାମଗ୍ରିକ ବିକାଶ ସାଧନ ହୋଇପାରିବ ସେହି ଦିଗରେ ମୁଁ ଓ ମୋର ପ୍ରଶାସନିକ ଟିମ୍ ନିରନ୍ତର ଉଦ୍ୟମ ଜାରିରଖିବୁ । ଏହା ପୂର୍ବରୁ ଶ୍ରୀ ସିଂହ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ । ଗତ ଅଗଷ୍ଟ ୩୧ ତାରିଖ ପୂର୍ବତନ ଜିଲ୍ଲାପାଳ ଡ. ନୃପରାଜ ସାହୁ ଅବସର ଗ୍ରହଣ କରିବା ପରେ ସେପ୍ଟେମ୍ବର ୩୦ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା ବେଳେ ଆଜି ଦାୟିତ୍ୱ ନେବା ପରେ ପ୍ରଥମ ଦିନରେ ହିଁ ସେ ସୋନପୁର ବ୍ଲକ୍ କାର୍ଯ୍ୟାଳୟରେ ଆୟୋଜିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରକୁ ଯାଇ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଥିଲେ ଓ ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.