
ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ଆୟୁର୍ବେଦିକ ପାରମ୍ପରିକ ବୈଦ୍ୟ ମହାସଂଘ ତରଫରୁ ଆୟୋଜିତ ତ୍ରିଦିବସୀୟ ବନୌଷଧି ଦର୍ଶନ କାର୍ଯ୍ୟକ୍ରମ ସ୍ଥାନୀୟ ନୃସିଂହନାଥ ଆୟୋସିଲ ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି । ରବିବାର ଦ୍ୱିତୀୟ ଦିବସରେ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ପାରମ୍ପରିକ ବୈଦ୍ୟ, ଆୟୁର୍ବେଦିକ ଡାକ୍ତର, ପିଜି ଛାତ୍ରଛାତ୍ରୀ, ଉଦ୍ଭିଦ ବିଜ୍ଞାନୀ ତଥା ଜଙ୍ଗଲ ବିଭାଗର କର୍ମକର୍ତ୍ତା ମିଶି ଗନ୍ଧମାର୍ଦ୍ଦନ ପର୍ବତର କପିଳଧାର ଠାରୁ ଆରମ୍ଭ କରି ଗୁପ୍ତେଶ୍ଵର ଆଖପାଖ ଅଞ୍ଚଳରେ ବନୌଷଧି ଅନ୍ୱେଷଣ କରିଥିଲେ । ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ବୈଦ୍ୟ ଶାନ୍ତନୁ କୁମାର ବୁଧିଆ, ବୈଦ୍ୟ ହରିଶ୍ଚନ୍ଦ୍ର ବେହେରା, ବୈଦ୍ୟ ତେଜରାଜ ସିଂ, ବୈଦ୍ୟ ଜଗଦୀଶ ପସାୟତ, ଡାକ୍ତର ନିଗମାନନ୍ଦ ବଳ, ଡକ୍ଟର ସୁଶିଲ କୁମାର ଉପାଧ୍ୟାୟ, ଡାକ୍ତର ଜେଏନ ପୁରୋହିତ, ଅର୍ଜୁନଲାଲ ଶ୍ରୀବାସ, ଜେଠୁ ଭୋଇ, ରବିନ୍ଦ୍ର କୁମାର ନାରନୋଲିଆ, ଫରେଷ୍ଟ ଗାର୍ଡ ନରୋତ୍ତମ ଭୋଇ, ଦେବେନ୍ଦ୍ର କୁମାର ପାତ୍ର ପ୍ରମୁଖ ଭାଗ ନେଇଥିଲେ । ଗୁପ୍ତେଶ୍ୱର ପରିସରରେ ଆୟୁର୍ବେଦ ଜଡିବୁଟି ବାବଦରେ ବୈଦ୍ୟମାନେ ବିଭିନ୍ନ ଔଷଧ ବୃକ୍ଷର ଓଷଧୀୟ ଗୁଣ ବିଷୟରେ ବୈଦ୍ୟଗୁରୁ ମାନଙ୍କ ଠାରୁ ପରାମର୍ଶ ନେଇଥିଲେ । ଜଙ୍ଗଲରେ ବିଷ୍ଣୁଜଡି, ଚକ୍ରକେଦାର, ଜୀବକ, ଋଷଭକ, ଜୀବନ୍ତୀ, ଶାବଲଭଞ୍ଜ, ରକ୍ତମହାଜାଲ, ଭୁଲେନଜଡି, ପାନବେଲ ଓ ଅଷ୍ଟବର୍ଗର କିଛି ଔଷଧ ଚିହ୍ନଟ କରିଥିଲେ । ବୈଦ୍ୟ ଓ ଆୟୁର୍ବେଦ ପ୍ରେମୀ ଗନ୍ଧମାର୍ଦ୍ଦନର ସର୍ବକାଳୀନ ସୁରକ୍ଷା ଉପରେ ମତବ୍ୟକ୍ତ କରିଥିଲେ ।