jayashree

ବ୍ୟାଙ୍କ ଖାତା ଖୋଲିବା ପରେ ବି ଭତ୍ତା ଅପେକ୍ଷାରେ ଭିନ୍ନକ୍ଷମ ମଞ୍ଜୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ପଞ୍ଚାୟତ ଅନ୍ତର୍ଗତ ମଖନମୁଣ୍ଡା ଗ୍ରାମର ହରିଜନପଡ଼ାର ଭିନ୍ନକ୍ଷମ ମଞ୍ଜୁ ବାଗଙ୍କୁ ଗତ ୫ ମାସ ହେଲା ବର୍ଦ୍ଧିତ ଭତ୍ତା ମିଳିନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଭତ୍ତା ପାଇବା ପାଇଁ ବ୍ୟାଙ୍କ ଖାତା ଖୋଲିବା ପରେ ମଧ୍ୟ ଏପର୍ଯ୍ୟନ୍ତ ଟଙ୍କା ମିଳିନଥିବାରୁ ପରିବାର ଚିନ୍ତା ପ୍ରକାଶ କରିଛି । ପରିବାର ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ମଞ୍ଜୁଙ୍କୁ ସମ୍ପୃକ୍ତ ଅଧିକାରୀମାନେ ହାତରେ ବର୍ଦ୍ଧିତ ଭତ୍ତା ପ୍ରଦାନ କରୁଥିଲେ । ପରେ ଭତ୍ତା ରାଶି ବ୍ୟାଙ୍କ ଖାତା ମାଧ୍ୟମରେ ମିଳିବ ବୋଲି ଜଣାଯିବା ପରେ ପରିବାର ପକ୍ଷରୁ ତାଙ୍କ ନାମରେ ବ୍ୟାଙ୍କ ଖାତା ଖୋଲାଯାଇଥିଲା । ହେଲେ ଖାତା ଖୋଲିବା ପରେ ପ୍ରାୟ ୫ ମାସ ବିତିଯାଇଥିଲେ ମଧ୍ୟ ଭତ୍ତା ରାଶି ଜମା ହୋଇନଥିବା ମଞ୍ଜୁଙ୍କ ବାପା ଅଭିଯୋଗ କରିଛନ୍ତି । ଭତ୍ତା ନିମନ୍ତେ ପରିବାର ପକ୍ଷରୁ ପାଇକମାଲ ବ୍ଲକ ପ୍ରଶାସନ ନିକଟକୁ ଏକାଧିକ ଥର ଯାଇ ସମସ୍ୟା ସମ୍ପର୍କରେ ଜଣାଯାଇଥିବା କୁହାଯାଇଛି । ତଥାପି ଏପର୍ଯ୍ୟନ୍ତ ବକେୟା ଭତ୍ତା ମିଳିନଥିବାରୁ ପରିବାର ଅସୁବିଧାରେ ଥିବା ପ୍ରକାଶ କରିଛି । ଭିନ୍ନକ୍ଷମଙ୍କ ପାଇଁ ସରକାରୀ ଭତ୍ତା ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ସୁରକ୍ଷା ସହାୟତା । ତେଣୁ ମଞ୍ଜୁଙ୍କ ବକେୟା ଭତ୍ତା ପ୍ରଦାନରେ ଯଦି କୌଣସି ପ୍ରଶାସନିକ କିମ୍ବା ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ୟା ରହିଛି, ତାହାର ଯାଞ୍ଚ କରି ଶୀଘ୍ର ସମାଧାନ କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି । ଏଥିସହ ଗତ ୫ ମାସର ବକେୟା ଭତ୍ତା ମିଳିବା ଦିଗରେ ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Leave A Reply

Your email address will not be published.