
- ଚିତ୍ତରଞ୍ଜନ ଦାସଙ୍କ ଜୀବନ ଥିଲା ଆରୋହଣ ଓ ଅବରୋହଣର ସମନ୍ୱୟ
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ସାହିତ୍ୟ ଏବଂ ଚିନ୍ତାଜଗତର ପ୍ରାତଃସ୍ମରଣୀୟ ବ୍ୟକ୍ତିତ୍ୱ ଚିତ୍ତରଞ୍ଜନ ଦାସ (ଚିତ୍ତ ଭାଇ) କେବଳ ଜଣେ ସାଧାରଣ ଲେଖକ ନଥିଲେ; ସେ ଥିଲେ ଜଣେ ଗଭୀର ଅନ୍ୱେଷକ । ଜ୍ଞାନ, ଦର୍ଶନ, ବିଶ୍ୱସାହିତ୍ୟ ଏବଂ ଆଧ୍ୟାତ୍ମିକତାର ଉଚ୍ଚତର ସ୍ତରକୁ (ଆରୋହଣ) ପହଞ୍ଚିବା ପାଇଁ ସେ ଆଜୀବନ ସାଧନା କରିଥିଲେ । ତାଙ୍କର ପ୍ରବନ୍ଧ ଓ ଚିନ୍ତାମୂଳକ ରଚନାଗୁଡ଼ିକରେ ମନୁଷ୍ୟର ବୌଦ୍ଧିକ ଓ ଆତ୍ମିକ ବିକାଶର ପ୍ରତିଫଳନ ଦେଖିବାକୁ ମିଳେ । ଜ୍ଞାନର ଶିଖରରେ ପହଞ୍ଚି ମଧ୍ୟ ସେ କେବେହେଲେ ସାଧାରଣ ମଣିଷଠାରୁ ଦୂରେଇ ଯାଇ ନଥିଲେ । ଓଡ଼ିଶାର ଗାଁ ଗଣ୍ଡା, ସାଧାରଣ ମଣିଷର ଦୁଃଖସୁଖ, ଏବଂ ମାଟିର ସୁଗନ୍ଧ ତାଙ୍କ ଲେଖନୀରେ ମୁଖ୍ୟ ସ୍ଥାନ ପାଇଥିଲା । ଏହା ଥିଲା ତାଙ୍କର ‘ଅବରୋହଣ’—ଯାହା ଜ୍ଞାନକୁ ସମାଜର ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଉଦ୍ଦିଷ୍ଟ ଥିଲା । ସେ ବିଶ୍ୱବିଦ୍ୟାଳୟର ଚାରି କାନ୍ଥ ଭିତରେ ସୀମିତ ନରହି ମୁକ୍ତ ଆକାଶର ପକ୍ଷୀ ପରି ବୁଲିଥିଲେ ଏବଂ ମଣିଷର ମନକୁ ବୁଝିବାକୁ ଚେଷ୍ଟା କରିଥିଲେ । ତାଙ୍କର ସମଗ୍ର ଜୀବନ ଏକ ତୀର୍ଥଯାତ୍ରା ପରି ଥିଲା, ଯେଉଁଥିରେ ସତ୍ୟ, ସୌନ୍ଦର୍ଯ୍ୟ ଏବଂ ପ୍ରେମର ସନ୍ଧାନ ଥିଲା । ଚିତ୍ତ ଭାଇଙ୍କ ଏହି ଚିନ୍ତାଧାରା ଆଜି ମଧ୍ୟ ଆମକୁ ଜୀବନକୁ ଏକ ସନ୍ତୁଳିତ ଏବଂ ଅର୍ଥପୂର୍ଣ୍ଣ ଦୃଷ୍ଟିରୁ ଦେଖିବା ପାଇଁ ପ୍ରେରଣା ଯୋଗାଏ । ପ୍ରଗତି ଉତ୍କଳ ସଂଘରେ ଚିତ୍ତରଞ୍ଜନ ଦାସଙ୍କ ୧୦୪ତମ ଜୟନ୍ତୀ ପାଳନ ଅବସରରେ ସମ୍ମାନିତ ବକ୍ତା ଭାବେ ବିଶିଷ୍ଟ ଚିତ୍ତାନୁରାଗୀ ଅଶୋକ କୁମାର ପତି ଏବଂ ମୁଖ୍ୟ ଅତିଥି ଚିତ୍ତ ପ୍ରେମୀ ଡ. କିଶୋରୀ ଦାଶ ଯୋଗ ଦେଇ ଉପରୋକ୍ତ ମନ୍ତବ୍ୟ ଦେବା ସହ କହିଲେ ଯେ, ଚିତ୍ତ ଭାଇ ଜଣେ ପ୍ରକୃତ ଅର୍ଥରେ ‘ଆରୋହଣ ଓ ଅବରୋହଣର ମଣିଷ’ ଥିଲେ । ତାଙ୍କର ଜୀବନ ଦର୍ଶନ, ସାହିତ୍ୟିକ ସାଧନା ଏବଂ ମାନବବାଦୀ ଦୃଷ୍ଟିକୋଣ ଏହି ଦୁଇଟି ଧାରାର ଏକ ଅନୂପମ ସମନ୍ୱୟ ଥିଲା । ଡ. ନଗେନ କୁମାର ଦାସଙ୍କ ସଭାପତିତ୍ୱ ଏବଂ ଚିତ୍ତ ପ୍ରେମୀ ଭାରତ ଭୂଷଣ ମହାନ୍ତିଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଉକ୍ତ ସଭାକୁ ଅତିଥିମାନେ ଚିତ୍ତରଞ୍ଜନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ପ୍ରାରମ୍ଭରେ ଗଙ୍ଗାଧର ତ୍ରିପାଠୀ ରବୀନ୍ଦ୍ର ସଙ୍ଗୀତ ପରିବେଷଣ କରିଥିଲେ । ରାଧାମୋହନ ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅଶୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇନ୍ଦ୍ରମଣି ମହାପାତ୍ର, ଲକ୍ଷ୍ମଣ ନାଥ ଦାସ, ଘନଶ୍ୟାମ ଧଳ, ଅରବିନ୍ଦ ପାତ୍ର, ରଶ୍ମି ସାହୁ, ଅର୍ଚ୍ଚନା ପାତ୍ର, ବବିତା ଦାଶ, ଧରଣୀଧର ସାମଲ ଏବଂ ବରୁଣ କୁମାର ନାହାକ ପ୍ରମୁଖ ସହାୟତା କରିଥିବା ବେଳେ, ସହରର ବହୁ ସାହିତ୍ୟ – ସଂସ୍କୃତି ପ୍ରେମୀ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।