
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଝାରମୁଣ୍ଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ “ଟ୍ରେନିଂ କ୍ୟାମ୍ପ ଅନ୍ ଇମର୍ଜିଙ୍ଗ ଟେକ୍ନୋଲୋଜିସ” ଏବଂ “ଓଡ଼ିଶା ବ୍ଲଡ୍ ଡୋନର ସେଣ୍ଟର, ବଲାଙ୍ଗିର” ଆନୁକୂଲ୍ୟରେ ରକ୍ତଦାନ ଶିବିର ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଧୁନିକ ପ୍ରଯୁକ୍ତି ଜ୍ଞାନ ସହ ମାନବିକ ସେବାର ଏହି ସମନ୍ୱିତ ପ୍ରୟାସ ବିଦ୍ୟାଳୟ ପରିସରରେ ଉତ୍ସାହପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା । ବିଦ୍ୟାଳୟର ଅଧ୍ୟକ୍ଷା ଡ. ଜ୍ୟୋତିର୍ମୟୀ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଜତୀନ୍ଦ୍ର ପଟେଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଇଓ ରୁଦ୍ର ପ୍ରସାଦ ଷଡ଼ଙ୍ଗୀ, ଡିଏଲସି ଓକେସିଏଲ୍ ବଲାଙ୍ଗିରର ସଞ୍ଜୀବ କୁମାର ପ୍ରଧାନ ଏବଂ ବଲାଙ୍ଗିର ବ୍ଲଡ୍ ବ୍ୟାଙ୍କର କାଉନ୍ସେଲର ସୈଖ୍ ଅସରଫ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଦୀପ ପ୍ରଜ୍ୱଳନ ପୂର୍ବକ ଅତିଥିମାନଙ୍କୁ ଉପଢୌକନ ଓ ଫୁଲତୋଡ଼ା ପ୍ରଦାନ କରି ସ୍ୱାଗତ କରାଯାଇଥିଲା । ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ଇଂରାଜୀ ଶିକ୍ଷକ ପ୍ରଶାନ୍ତ ଠେଲା ପରିଚାଳନା କରିଥିଲେ । ଏଥିସହିତ ଟ୍ରେନିଂ କ୍ୟାମ୍ପ ଅନ୍ ଇମର୍ଜିଙ୍ଗ ଟେକ୍ନୋଲୋଜିସରେ ବିଦ୍ୟାଳୟର ମୋଟ ୧୨୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶିବିରରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ରୋବୋଟିକ୍ସ ଏବଂ ସାଇବର ସୁରକ୍ଷା ସଚେତନତା ଭଳି ଆଧୁନିକ ବିଷୟ ଉପରେ ପ୍ରଶିକ୍ଷଣ ତଥା ଜ୍ଞାନ ପ୍ରଦାନ କରାଯାଇଥିଲା । ଏହି ଶିବିରରେ ପ୍ରଶିକ୍ଷକ ଭାବେ ପ୍ରଦୀପ ବଗାର, ରମଣ କୁମାର ସାହୁ ଓ ସାର୍ଥକ ମୁନ ଯୋଗ ଦେଇଥିଲେ । ସେମାନେ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ରୋବଟ୍ର କାର୍ଯ୍ୟପ୍ରଣାଳୀର ପ୍ରଦର୍ଶନ କରିଥିଲେ । ଏଥିସହ କୃତ୍ରିମ ବୁଦ୍ଧିମତ୍ତା କିପରି କାର୍ଯ୍ୟକରେ ଏବଂ ଏହାର ବ୍ୟବହାର କେଉଁ କେଉଁ କ୍ଷେତ୍ରରେ ହୋଇଥାଏ, ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା । ଯନ୍ତ୍ର ସଂଯୋଗ ପ୍ରଯୁକ୍ତି ଓ ସାଇବର ସୁରକ୍ଷାର ଗୁରୁତ୍ୱ ଉପରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥିଲା । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ, ବୈଷୟିକ ନିର୍ଦ୍ଦେଶାଳୟ, ଓକାକ୍ (ଓସିଏସି) ପକ୍ଷରୁ ପ୍ରାୟୋଜିତ ଏହି ଶିବିରରେ ମୋଟ ୧୨୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଡିଜିଟାଲ୍ ଯୁଗରେ ପ୍ରଯୁକ୍ତିର ସୁରକ୍ଷିତ ଓ ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ସାଇବର ସୁରକ୍ଷା ଏବଂ ନୂତନ ପ୍ରଯୁକ୍ତିର ବିଭିନ୍ନ ସମ୍ଭାବନା ସମ୍ପର୍କରେ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିଥିଲେ । ସେହିପରି ବିଦ୍ୟାଳୟର ବାଳକ ଛାତ୍ରାବାସରେ ଆୟୋଜିତ ରକ୍ତଦାନ ଶିବିରରେ ଶିକ୍ଷକ, ଅଭିଭାବକ ଓ ଅନ୍ୟାନ୍ୟ ବ୍ୟକ୍ତି ଯୋଗଦେଇ ସ୍ୱଇଚ୍ଛାରେ ରକ୍ତଦାନ କରିଥିଲେ । ଏହି ଶିବିରରୁ ମୋଟ ୨୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତଦାନ ଶିବିରରେ ଡ. ଶ୍ରେୟା ସୁମନ ପାତ୍ର, ଅଭିଷେକ ବେହେରା, ସୈଖ୍ ଅବଦୁଲ ଅସରଫ, ଦେବାଶିଷ ମିଶ୍ର, ନମିତା ମେହେର, ସାଜନ ରାଣା, ଦେବେନ୍ଦ୍ର ନନ୍ଦଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ କାହ୍ନୁ ଚରଣ ଦର୍ଜି ଓ ଗୀତାଞ୍ଜଳି ପଣ୍ଡା ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥି ବୃନ୍ଦ ନିଜେ ରକ୍ତଦାନ କରିବା ସହିତ ଅଭିଭାବକ ମାନଙ୍କୁ ମଧ୍ୟ ରକ୍ତଦାନ ପାଇଁ ପ୍ରୋତ୍ସାହିତ କରିଥିଲେ । ଏହା ଅନ୍ୟମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିବାର ଏକ ସକାରାତ୍ମକ ଉଦାହରଣ ସୃଷ୍ଟି କରିଥିଲା ବିଦ୍ୟାଳୟର ଅଧ୍ୟକ୍ଷା, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ, ଅତିଥିବୃନ୍ଦ ଏବଂ ଆୟୋଜକ ଦଳର ସକ୍ରିୟ ସହଯୋଗରେ ଉଭୟ କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହୋଇଥିଲା । ଏକ ପାଖରେ ଏଆଇ, ରୋବୋଟିକ୍ସ ଓ ସାଇବର ସୁରକ୍ଷା ସଚେତନତା ଭଳି ଭବିଷ୍ୟତ ମୁଖୀ ପ୍ରଯୁକ୍ତିର ଜ୍ଞାନ ଏବଂ ଅନ୍ୟପଟେ ରକ୍ତଦାନ ମାଧ୍ୟମରେ ମାନବ ସେବା ଏହି ଦୁଇଟି ପ୍ରୟାସ ଓଏଭି ଝାରମୁଣ୍ଡାରେ ଜ୍ଞାନ, ପ୍ରଯୁକ୍ତି ଓ ମାନବିକତାର ଏକ ସୁନ୍ଦର ସମନ୍ୱୟର ପରିଚୟ ଦେଇଥିଲା ।