କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେ‌ଶ୍ୱର : ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲ (ଆଇଆଇଏଲ୍‍)ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଆଜି କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ସୁପ୍ରିମ୍‍କୋର୍ଟ ବିଚାରପତି ଜଷ୍ଟିସ୍‍ ଉଦୟ ଉମେଶ ଲଳିତ, ଜଷ୍ଟିସ୍‍ ଭୂଷଣ ରାମକ୍ରିଷ୍ଣା ଗଭାଇ, ଜଷ୍ଟିସ୍‍ ଭି ରାମସୁବ୍ରମଣ୍ୟମ୍‍, ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ ତଥା ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ ଟ୍ରଷ୍ଟର ଅଧ୍ୟକ୍ଷ ମନନ କୁମାର ମିଶ୍ର, ଓଡ଼ିଶାର ଆଡ୍‍ଭୋକେଟ୍‍ ଜେନେରାଲ ତଥା ଓଡ଼ିଶା ବାର୍‍ କାଉନ୍‍ସିଲ୍‍ ସ୍ୱତନ୍ତ୍ର କମିଟି ଅଧ୍ୟକ୍ଷ ଅଶୋକ ପରିଜା, ବିଶିଷ୍ଟ ଆଇନ ଶିକ୍ଷାବିତ୍‌ ଏଲ୍‌.ଏନ୍‌. ମିଶ୍ର, କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଆଇଆଇଏଲ୍‍ ପ୍ରତିଷ୍ଠା ହେବା ଦ୍ୱାରା ଓଡ଼ିଶାର ଶିକ୍ଷା ମାନଚିତ୍ରରେ ଆଇନ୍‍ ଶିକ୍ଷା କ୍ଷେତ୍ରରେ ପ୍ରଭାବ ପକାଇବ । ସମଗ୍ର ଭାରତରେ ଏଭଳି ଅନୁଷ୍ଠାନ ହେଉଛି ପ୍ରଥମ । ଭୁବନେଶ୍ୱରରେ ଆଇଆଇଏଲ୍‍ ପ୍ରତିଷ୍ଠା ନେଇ କିଟ୍‍ ଓ ବିସିଆଇ ଟ୍ରଷ୍ଟ ମଧ୍ୟରେ ପୂର୍ବରୁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ବୁଝାମଣା ପତ୍ର ଅନୁସାରେ ଭୁବନେଶ୍ୱରରେ କିଟ୍‍ ଆବଶ୍ୟକ ଜମି ଯୋଗାଇ ଦେବା ସହ ୧.୫ ଲକ୍ଷ ବର୍ଗଫୁଟ ଜମିରେ ପ୍ରସ୍ତାବିତ ଆଇଆଇଏଲ୍‍ ଭିତ୍ତିଭୂମି ନିର୍ମାଣର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବ । ଶେଷରେ ଓଡ଼ିଶା ବାର୍‌ କାଉନ୍‌ସିଲ୍‌ ସ୍ପେଶିଆଲ୍‌ କମିଟି ସଦସ୍ୟ ମାନସ ରଞ୍ଜନ ମହପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ବିସିଆଇ ତଥା ବିସିଆଇ ଟ୍ରଷ୍ଟର କର୍ମକର୍ତ୍ତା ଓ ସଦସ୍ୟଙ୍କ ସମେତ ଭାରତର ବହୁ ବିଶିଷ୍ଟ ଆଇନଜ୍ଞ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.