
ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସେକ୍ଟର-୨୦ ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତିଷ୍ଠାନର ଆବାହକ ଶ୍ରୀମତୀ ଭଗବତୀ ଜେନାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଗାନ୍ଧୀବାଦୀ, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ସକାଳୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତ ଫେରୀ ଅନୁଷ୍ଠିତ ହୋଇଥିଲା । ପିଲାମାନେ ଗାନ୍ଧୀଜୀଙ୍କ ପ୍ରିୟ ଭଜନ “ରଘୁପତି ରାଘବ ରାଜାରାମ” ଗାନ କରି ସହର ପରିକ୍ରମା କରିଥିଲେ । ପରେ ପ୍ରତିଷ୍ଠାନ ପରିସରରେ ମହାତ୍ମା ଗାନ୍ଧୀଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ ଓ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ସମାରୋହରେ ଅତିଥି ଭାବେ ପ୍ରଫେସର ରଘୁନାଥ ଦାଶ, ଡ. ସୁମନ ଦତ୍ତ, ବ୍ରଜେନ୍ଦ୍ର ଦାଶ, ନିରଞ୍ଜନ ପଟେଲ, ନିରୂପମ ପତି, ମଧୁସ୍ମିତା କେରକେଟ୍ଟା, ଗାନ୍ଧୀବାଦୀ ଡ. ସସ୍ମିତା ପ୍ରଧାନ, ଡ. ବସନ୍ତ ଦାସ, ଡ. ପ୍ରମୋଦ ଜଗଦେବ, ମଳୟ ପାଢ଼ୀ ଓ ସୌମିତ୍ର ମୁଦୁଲି ପ୍ରମୁଖ ମଞ୍ଚାସୀନ ଥିଲେ । ବକ୍ତାମାନେ ଗାନ୍ଧୀଜୀଙ୍କ ଅହିଂସା, ସତ୍ୟାଗ୍ରହ ଓ ସ୍ୱଚ୍ଛତାର ଆଦର୍ଶ ବର୍ତ୍ତମାନ ସମାଜ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି ମତ ଦେଇଥିଲେ । ପ୍ରଫେସର ରଘୁନାଥ ଦାଶ କହିଥିଲେ, ଗାନ୍ଧୀଙ୍କ ବିଚାର କେବଳ ଇତିହାସ ନୁହେଁ, ବରଂ ଭବିଷ୍ୟତ ପାଇଁ ମାର୍ଗଦର୍ଶନ । ଯୁବପିଢ଼ି ଗାନ୍ଧୀଙ୍କ ଆଦର୍ଶକୁ ଜୀବନରେ ଆପଣାଇଲେ ସମାଜରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ । ଡ. ସୁମନ ଦତ୍ତ ଗାନ୍ଧୀଜୀଙ୍କ ଶିକ୍ଷା ଦର୍ଶନ ଉପରେ ଆଲୋକପାତ କରିଥିଲେ । ଡ. ସସ୍ମିତା ପ୍ରଧାନ ଗାନ୍ଧୀବାଦୀ ଆନ୍ଦୋଳନରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ସଫଳ ହୋଇଥିବା ୧୮ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ସେମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଆର.ଇ.ସି କ୍ୟାମ୍ପସ୍ ସ୍କୁଲ, ପ୍ରଗତି ସ୍କୁଲ, ଝିରପାଣି ହାଇସ୍କୁଲ, କୋଏଲ ବିଦ୍ୟାପୀଠ ଆଦି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତା ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ଗାନ୍ଧୀଜୀଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଆଗ୍ରହ ବୃଦ୍ଧି ପାଇଥିବା ଆୟୋଜକମାନେ କହିଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରତିଷ୍ଠାନର ସଦସ୍ୟମାନେ ସହଯୋଗ କରିଥିଲେ । ଶେଷରେ ଡ. ସସ୍ମିତା ପ୍ରଧାନ ସମସ୍ତ ଅତିଥି, ଶିକ୍ଷକ, ଛାତ୍ରଛାତ୍ରୀ ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।