
ଯାଜପୁର, (କେପିଏନ୍ଏସ୍) : ତାରାମଦନ ଗ୍ରାମର ବାସିନ୍ଦା ନିଶୀଥ କୁମାର ଦାସ । ବୟସ ୭୧ ବର୍ଷ ଡେଇଁଲାଣି । ଏହି ବୟସରେ ମଧ୍ୟ ସେ ସକାଳୁ ସାଇକଲ ଧରି ବାହାରିଯାନ୍ତି । ବିଭିନ୍ନ ସ୍ଥାନରେ ଗାନ୍ଧୀଜୀଙ୍କ ମୂର୍ତ୍ତିକୁ ସଫା କରିବା ସହ ଫୁଲଧୂପ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥାନ୍ତି । ତାଙ୍କ ପକେଟରେ ସବୁବେଳେ ରହିଥାଏ ଫୁଲମାଳ, କର୍ପୂର, ଧୂପ ଓ ଚକୋଲେଟ । ଯେଉଁଠି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଦେଖନ୍ତି ସଙ୍ଗେସଙ୍ଗେ ଧୋଇ ସଫା କରି ଫୁଲଧୂପ ଓ କର୍ପୂର ଲଗାଇ ପୂଜା କରନ୍ତି । ନିଜସ୍ୱ ଉଦ୍ୟମରେ ସେ ସରକାରୀ ବାଳିକା ବିଦ୍ୟାଳୟ, ବୈଷ୍ଣବ ଦତ୍ତ ଉଚ୍ଚବିଦ୍ୟାଳୟ ସମେତ ଏକାଧିକ ବିଦ୍ୟାଳୟରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । ଏଥିସହ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ସେ ଅହିଂସାର ବାର୍ତ୍ତା ପ୍ରଚାର କରିବା ସହ ଛୋଟ ପିଲାମାନଙ୍କୁ ଚକୋଲେଟ ବାଣ୍ଟିଥାନ୍ତି । ସ୍ୱଚ୍ଛତାକୁ ଜନଆନ୍ଦୋଳନରେ ପରିଣତ କରିବା ଉଦ୍ଦେଶ୍ୟରେ ସ୍ୱଚ୍ଛ ଭାରତ ମିସନ ଆରମ୍ଭ କରାଯାଇଛି । ମନ୍ତ୍ରୀ ଏ ବିଷୟରେ ସେ କହିଛନ୍ତି ଯେ, ଅନେକ ବର୍ଷ ତଳେ ଯାଜପୁର ସହର ଗାନ୍ଧୀଛକରେ ଥିବା ପ୍ରତିମୂର୍ତ୍ତିରେ ପଡ଼ିଥିବା ଶୁଖିଲା ଫୁଲମାଳ ଓ ଅପରିଷ୍କାର ପରିବେଶ ତାଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଏହାପରଠାରୁ ସେ ମୂର୍ତ୍ତିର ଯତ୍ନ ନେବା ଆରମ୍ଭ କରିଥିଲେ ଏବଂ ଏହା ତାଙ୍କ ଦିନଚର୍ଯ୍ୟା ପାଲଟିଯାଇଛି । ଶ୍ରୀ ଦାସ ଷ୍ଟେଟବ୍ୟାଙ୍କର ଜଣେ ଅବସରପ୍ରାପ୍ତ କର୍ମଚାରୀ । ପୂର୍ବରୁ ସେ ପତ୍ନୀ ଓ ପୁଅଙ୍କୁ ହରାଇଛନ୍ତି । ଏପରିକି ପତ୍ନୀଙ୍କ ମୃତ୍ୟୁ ସମୟରେ ମଧ୍ୟ ସେ ଗାନ୍ଧୀଙ୍କ ସେବାକାର୍ଯ୍ୟ କରିବାକୁ ଭୁଲି ନଥିଲେ । ଏହା ତାଙ୍କୁ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ସାମିଲ ହୋଇ ଗାନ୍ଧୀଙ୍କ ବାଣୀ ପ୍ରଚାର କରିଥାନ୍ତି । ଜୀବନର ଶେଷନିଶ୍ୱାସ ଥିବା ପର୍ଯ୍ୟନ୍ତ ସେ ଗାନ୍ଧୀଜୀଙ୍କ ବାର୍ତ୍ତା ପ୍ରଚାର କରିଚାଲିବେ ବୋଲି ଗାନ୍ଧୀବାଦୀ ଶ୍ରୀ ଦାସ କହିଛନ୍ତି