jayashree

ନିଷ୍ଠା ପରିବାରର ରକ୍ତଦାନ ଉତ୍ସବ ୧୦୩ ୟୁନିଟ୍ ରକ୍ତ ସଂଗୃହୀତ

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାର ଖଣ୍ଡହଥା ଆନ୍ଧ୍ର କ୍ୟାମ୍ପଠାରେ ଦୀର୍ଘ ୧୬ ବର୍ଷ ଧରି ସମାଜସେବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରିଆସୁଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ଓ ଓଡିଶା ରକ୍ତ ଦାତା ମହାସଂଘର ମିଳିତ ଆନୁକୂଲ୍ୟରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସହ ଡିଜିଟାଲ ଇନଫ୍ଲୁଏନ୍ସର ମିଟ୍ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ସତ୍ୟନାରାୟଣ ନନ୍ଦ ମୁଖ୍ୟ ଅତିଥି ଏବଂ ବରଗଡ଼ ତହସିଲଦାର ଶ୍ରୀମତୀ ସୋନାଲୀ ପଟ୍ଟନାୟକ, ଅତିରିକ୍ତ ତହସିଲଦାର କାଜଲ ଖମାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ୱାରା ୫୧ୟୁନିଟ ରକ୍ତ ଓ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ୫୨ୟୁନିଟ ରକ୍ତ ସର୍ବମୋଟ ୧୦୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ରକ୍ତଦାତାମାନଙ୍କ ଏହି ମହାନ ଅବଦାନ ସମାଜ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଛି । ରକ୍ତଦାନ ଶିବିର ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ସାମାଜିକ ଓ ମନୋରଞ୍ଜନଧର୍ମୀ କଣ୍ଟେଣ୍ଟ ସୃଷ୍ଟି କରୁଥିବା ବିଭିନ୍ନ ଡିଜିଟାଲ କ୍ରିଏଟର ଓ ଇନଫ୍ଲୁଏନ୍ସରମାନଙ୍କୁ ନେଇ ଡିଜିଟାଲ ଇନଫ୍ଲୁଏନ୍ସର ମିଟ୍ ଅନୁଷ୍ଠିତ ହୋଇଥିଲା । ନିଷ୍ଠା ପରିବାରର ସଭାପତି ଅଶ୍ୱିନୀ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ସତ୍ୟନାରାୟଣ ନନ୍ଦ, ସମ୍ମାନିତ ଅତିଥି ଶ୍ରୀମତୀ ସୋନାଲୀ ପଟ୍ଟନାୟକ, କାଜଲ ଖମାରୀ ଏବଂ ନିଷ୍ଠା ପରିବାରର ସମ୍ପାଦକ ଲୋକନାଥ ସାହୁ ମଞ୍ଚାସୀନ ଥିଲେ । ନିଷ୍ଠା ପରିବାରର ଉପ ସଭାପତି ମଦନ ମୋହନ ଦାଶ ଓ ସଚ୍ଚି ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ବର୍ତ୍ତମାନ ସମୟ ହେଉଛି ସୋସିଆଲ ମିଡିଆର ଯୁଗ । ରକ୍ତଦାନକୁ ନେଇ ସମାଜରେ ରହିଥିବା ବିଭିନ୍ନ ଭ୍ରାନ୍ତ ଧାରଣାକୁ ଦୂର କରିବା ସହ ରକ୍ତଦାନର ମହତ୍ତ୍ୱ ସମ୍ପର୍କରେ ଅଧିକରୁ ଅଧିକ ଲୋକଙ୍କ ନିକଟରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ପାଇଁ ଡିଜିଟାଲ ଇନଫ୍ଲୁଏନ୍ସର ଓ କ୍ରିଏଟରମାନଙ୍କୁ ନିଷ୍ଠା ପରିବାର ତରଫରୁ ନିବେଦନ କରାଯାଇଥିଲା । ଏହି ଅବସରରେ ଯୋଗଦେଇଥିବା ଡିଜିଟାଲ କ୍ରିଏଟର ଓ ଇନଫ୍ଲୁଏନ୍ସରମାନଙ୍କୁ ସ୍ମୃତି ଫଳକ, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସୁଦୂର ଭୁବନେଶ୍ୱରରେ ରହି ମଧ୍ୟ ରକ୍ତଦାନ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ ରଖିଥିବା ମୀନକେତନ ସାହୁ, କ୍ଷୀରୋଦ ସାହୁ (ତାଲ ଚେର)ଏବଂ ବରଗଡ଼ର ଗିରିଧାରୀ କୁମାର ଅଗ୍ରୱାଲଙ୍କୁ ମଧ୍ୟ ନିଷ୍ଠା ପରିବାର ତରଫରୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ ଓ ସୂଚାରୁ ରୂପେ ପରିଚାଳନା କରିବାରେ ନିଷ୍ଠା ପରିବାରର ମହିଳା ଶାଖା ସଂଯୋଜିକା ତ୍ରିପୁରା ସୁହୁଲା, ଉପସଭାପତି କ୍ଷୀରୋଦ୍ର ସାହୁ, ଆଶିଷ କର, ରକ୍ଷପାଲ ସାହୁ, ଉମେଶ ପ୍ରଧାନ, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁ, ଜୟନ୍ତ ପ୍ରଧାନ, ଚିତ୍ର ପ୍ରଧାନ, ହେମାଞ୍ଚଳ ସାହୁ, ରାତ୍ର ପ୍ରଧାନ, ଧର୍ମ ରାଜ ସାହୁ, ଝସ କେତନ ସାହୁ, ଖଗେଶ୍ୱର ସାହୁଙ୍କ ସମେତ ନିଷ୍ଠା ପରିବାରର ଅନ୍ୟ ସଦସ୍ୟ ଓ ସଦସ୍ୟାମାନେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.