
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ଇଷ୍ଟଦେବୀ ମା’ ବନଦୁର୍ଗା ମନ୍ଦିରରେ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ଶାରଦୀୟ ନବରାତ୍ର ଦୁର୍ଗାପୂଜା । ଏନେଇ ନବଦୁର୍ଗା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ସକାଳ ୭ଟା ୩୦ ମିନିଟରେ କଳସାଧିବାସ, ଅଙ୍କୁରାରୋପଣ, ସୂର୍ଯ୍ୟପୂଜା ଓ ଦୀପ ପ୍ରଜ୍ୱଳନ ସହ ନବରାତ୍ର ପୂଜାର ଶୁଭାରମ୍ଭ ହେବ । ସନ୍ଧ୍ୟାରେ ମିଷ୍ଟାନ୍ନ ଭୋଗ ପରେ ସାଢ଼େ ୭ଟାରେ ଅନୁଷ୍ଠିତ ହେବ ସନ୍ଧ୍ୟା ଆଳତି । ସେହିପରି ୧୨ ତାରିଖରେ ବାଳଭୋଗ, ଆଳତି, ସୂର୍ଯ୍ୟପୂଜା, ଚଣ୍ଡିପାଠ ଓ ହୋମ ଆଦି ବିଧିବିଧାନ ଅନୁଷ୍ଠିତ ହେବ । ନିର୍ଦ୍ଧାରିତ ନୀତିକାନ୍ତି ଅନୁଯାୟୀ ନବରାତ୍ରର ବିଭିନ୍ନ ଦିନରେ ମା’ଙ୍କ ପୂଜାର୍ଚ୍ଚନା କରାଯିବ । ମା’ଙ୍କ ସନ୍ଧ୍ୟା ଆଳତିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ମା’ ବନଦୁର୍ଗାଙ୍କ ଆଶୀର୍ବାଦ ଲାଭ କରିବାକୁ ପରିଚାଳନା କମିଟି ସଭାପତି ଡ. ପ୍ରଭାତ ନାରାୟଣ ତ୍ରିପାଠୀ ଅନୁରୋଧ କରିଛନ୍ତି ।