jayashree

ଆନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉପଖଣ୍ଡ ସ୍ତରୀୟ ଆନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ–୨୦୨୬ ଆଜି ପାନପୋଷ ଉପଖଣ୍ଡରେ ପାଳିତ ହୋଇଯାଇଛି । ଛେଣ୍ଡ ଥାନା ନିକଟସ୍ଥ ମଡେଲ୍ ସିନିୟର ସିଟିଜେନ୍ ହେଲ୍ପ ସେଣ୍ଟରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୟୋଜ୍ୟେଷ୍ଠମାନଙ୍କ ସମ୍ମାନ, ସୁରକ୍ଷା ଓ କଲ୍ୟାଣ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଚନ୍ଦ୍ରକାନ୍ତ ମଲ୍ଲିକ, ଉପଜିଲ୍ଲାପାଳ, ପାନପୋଷଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଭାରେ ରବି ମୀନା, ଡିଏଫ୍‌ଓ, ରାଉରକେଲା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସ୍ନେହା ନାୟକ, ଏଏସ୍‌ପି, ରାଉରକେଲା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଶ୍ରୀମତୀ ଚାନ୍ଦିନୀ, ଅତିରିକ୍ତ ଉପଜିଲ୍ଲାପାଳ, ପାନପୋଷ ଏବଂ ମଡେଲ୍ ସିନିୟର ସିଟିଜେନ୍ ହେଲ୍ପ ସେଣ୍ଟରର ସଭାପତି ମହେନ୍ଦ୍ର କୁମାର ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ । ଏଥିରେ ଅବସରପ୍ରାପ୍ତ ପୁଲିସ୍ ସଂଘ, ସିନିୟର ସିଟିଜେନ୍ ଆସୋସିଏସନ୍, ବୀରମିତ୍ରପୁର ଓ ଜଗଦାର ପ୍ରତିନିଧିମାନେ ମଧ୍ୟ ଯୋଗଦେଇଥିଲେ । କାର୍ଯ୍ୟକ୍ରମର ସଭା ପରିଚାଳନା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ପାନପୋଷ ଶ୍ରୀମତୀ ମିନୁ ତାଣ୍ଡିଆଙ୍କ ଦ୍ୱାରା କରାଯାଇଥିଲା । ଏସ୍‌ଏସ୍‌ଓ, ପାନପୋଷ ପ୍ରକାଶ କୁମାର ଦାସଙ୍କ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା । ଏହି ଅବସରରେ ସ୍ୱାସ୍ଥ୍ୟ ଶିବିର, ଯୋଗାଭ୍ୟାସ, ସଚେତନତା କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରତିଯୋଗିତା, ଆନ୍ତଃପିଢ଼ି ସମ୍ପର୍କ ସୁଦୃଢ଼ୀକରଣ, ଚାରାରୋପଣ ଓ ଚାରା ବଣ୍ଟନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସ୍ୱାସ୍ଥ୍ୟ ଶିବିରର ସୁଚାରୁ ପରିଚାଳନାରେ ରାଉରକେଲା ସରକାରୀ ହସ୍ପିଟାଲ୍‌ର ମେଡିକାଲ୍ ଟିମ୍ ପୂର୍ଣ୍ଣ ସହଯୋଗ କରିଥିଲେ । ‘ଏକ ପେଡ୍ ମାଁ କେ ନାମ’ ଅଭିଯାନ ଅନ୍ତର୍ଗତ ଚାରାରୋପଣ ଓ ଚାରା ବଣ୍ଟନ କରାଯାଇ ପରିବେଶ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରାଯାଇଥିଲା । ବୟୋଜ୍ୟେଷ୍ଠମାନଙ୍କ ପ୍ରତି ସମ୍ମାନ, ଯତ୍ନ ଓ ସହଯୋଗର ଭାବନାକୁ ସୁଦୃଢ଼ କରିବା ସହ ସେମାନଙ୍କ ଅନୁଭବ ଓ ଅବଦାନକୁ ସମାଜରେ ସମ୍ମାନିତ କରିବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ପାନପୋଷ ଉପଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀମାନେ କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ସୁଚାରୁ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.