
ଗୋପାଳପୁର,ବାଲେଶ୍ୱର : ଭାରତ ପରି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନସାଧାରଣ ସର୍ବେସର୍ବା ହୋଇଥାନ୍ତି । ପ୍ରକୃତ କ୍ଷମତା ଜନସାଧାରଣଙ୍କ ହାତରେ ରହିଥାଏ । ସବୁଠାରୁ ଶକ୍ତିଶାଳୀ ବୃହତ୍ତର ଗଣତାନ୍ତ୍ରିକ ରାଷ୍ଟ୍ର ଆମ ଭାରତ ଯେଉଁଠି ୧୪୦କୋଟିରୁ ଅଧିକ ଜନସାଧାରଣ ବସବାସ କରନ୍ତି କିନ୍ତୁ ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ ଏହିକି ଏବେବି ଅନେକ ଗରିବ ମଧ୍ୟବିତ୍ତ ନିଜର ୩ଟି ମୌଳିକ ଚାହିଦା ଖାଦ୍ୟ, ବସ୍ତ୍ର, ବାସଗୃହ ପାଇଁ ଏବେବି ସଂଘର୍ଷ କରୁଛନ୍ତି । ଉନ୍ନତ ସ୍ୱାସ୍ଥ୍ୟସେବା, ପକ୍କାଘର ତ ଦୂରର କଥା ପ୍ରତିଦିନ ଦୁଇଓଳି ଦୁଇ ମୁଠା ଖାଦ୍ୟ ସେମାନଙ୍କ ପାଇଁ ଆକାଶ କଇଁଆ ଚିଲିକା ମାଛ ସଦୃଶ । ଆମ ଦେଶର କ୍ଷମତାଲୋଭୀ ରାଜନେତା ମାନେ ଜାଣିଶୁଣି ସରକାରୀ ବିଦ୍ୟାଳୟ, ସରକାରୀ ଚିକିତ୍ସାଳୟକୁ ଅବେହେଳା କରୁଛନ୍ତି କାରଣ ସେମାନଙ୍କ ନିଜର ବିଦ୍ୟାଳୟ ଏବଂ ଚିକିତ୍ସାଳୟ ଦେଶର କୋଣ ଅନୁକୋଣରେ ଚାଲିଛି ଆଉ ସେମାନେ କୋଟି କୋଟି ଟଙ୍କାର ମୁନଫା କମାଉଛନ୍ତି । ଇତିହାସର ପୁଷ୍ଠାକୁ ଆମେ ଯଦି ଅବଲୋକନ କରିବା ଦେଖିବା ଅନେକ ବିଦ୍ୱାନ ବ୍ୟକ୍ତି ଏହା ମତବ୍ୟକ୍ତ କରିଛନ୍ତି କି “ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଅହିଂସା ନୀତିକୁ ପାଥେୟ କରି ଆମେ ସ୍ୱାଧୀନତା ହାସଲ କରିଥିଲୁ ଏବଂ ପରାଧୀନ ଶିକୁଳିରୁ ଆମେ ମୁକ୍ତ ହୋଇଥିଲୁ” । ଏକବିଂଶ ଶତାବ୍ଦୀର ମନୁଷ୍ୟ ଯେପରି ବିଶୃଙ୍ଖଳିତ, ଅମାନବୀୟ, ଅନୈତିକ ଆଚରଣ ପ୍ରଦର୍ଶନ କରୁଛି ଧୀରେ ଧୀରେ ମନୁଷ୍ୟ ହିଂସ୍ର ପଶୁଙ୍କ ପରି ହତ୍ୟା, ଗଣଧର୍ଷଣ, ଧର୍ଷଣ, ବ୍ୟଭିଚାର, ପରି ଜଘନ୍ୟ ଅପରାଧ କରୁଛି ଏବଂ ତା ମଧ୍ୟରେ ନୈତିକ ମୂଲ୍ୟବୋଧର ଅବକ୍ଷୟ ଘଟୁଛି ଏହା ଅତ୍ୟନ୍ତ ଚିନ୍ତାଜନକ ଏବଂ ଦୁଃଖଦାୟକ । ଆମ ସମାଜକୁ ଶୃଙ୍ଖଳିତ ଏବଂ ମନୁଷ୍ୟ ଆଚରଣ ଓ ସ୍ୱଭାବର ପରିବର୍ତ୍ତନ ଆଣିବାକୁ ହେଲେ ଗାନ୍ଧିଜୀଙ୍କ ଅହିଂସା ନୀତି ଏବଂ ସତ୍ୟର ମାର୍ଗରେ ଆମକୁ ଚାଲିବାକୁ ପଡିବ ଅନ୍ୟଥା ଆମର ଜୀବନ ଘୋର ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବ । ଗାନ୍ଧିଜୀ ସତ୍ୟ, ଧର୍ମ, ନ୍ୟାୟ ଅହିଂସାର ପୂଜାରୀ ଥିଲେ । ତାଙ୍କ ନୀତି ଆଦର୍ଶ ଆଜିର ବିଶୃଙ୍ଖଳିତ ଯୁବ ସମାଜ ପାଇଁ ଅତ୍ୟନ୍ତ ପ୍ରେରଣା ଦାୟୀ । ଗାନ୍ଧିଜୀ ମନୁଷ୍ୟ ମନ ମଧ୍ୟରେ ଛୁଆଁ ଅଛୁଆଁ, ଉଚ୍ଚ ନୀଚ୍ଚର ଭେଦଭାବକୁ ନାପସନ୍ଦ କରୁଥିଲେ । ସମାଜରେ ଧନୀ ଓ ଗରିବ ମଧ୍ୟରେ ଥିବା ତାରତମ୍ୟକୁ ଦୂର କରିବା ପାଇଁ ଅନେକ ସଂଘର୍ଷ କରିଥିଲେ ଏବଂ ଅନେକ ଦୁଃଖ, ଯନ୍ତ୍ରଣା, ପୀଡା ସହିଥିଲେ । ସମାଜରେ ଅବହେଳିତ ଅସହାୟ ଗରିବ ବ୍ୟକ୍ତି କିପରି ଶିକ୍ଷା ମାଧ୍ୟମରେ ଆଗକୁ ବଢ଼ିପାରିବ ସେଥିପାଇଁ ସେ ପ୍ରଚେଷ୍ଟା କରିଥିଲେ । ଗାନ୍ଧିଜୀ ସଦାସର୍ବଦା ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଦେଇଥିଲେ ସେଥିପାଇଁ ସେ କହୁଥିଲେ “କୁଟି ଖାଅ କାଟି ପିନ୍ଧ” ତାଙ୍କର କହିବାର ତାତ୍ପର୍ଯ୍ୟ ଏହାଥିଲା କି ଶିକ୍ଷା ମାଧ୍ୟମରେ କିପରି ଜଣେ ଆତ୍ମନିର୍ଭରଶୀଳ ହେଇପାରିବ ତାର ପରିବାରକୁ ପ୍ରତିପୋଷଣ କରିପାରିବ । ଗାନ୍ଧିଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ ସରକାର ଏବେ ଧନ୍ଦାମୂଳକ ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଏବେ ନିକଟରେ ଆମ ରାଜ୍ୟର ମୋହନ ସରକାର ବିଦ୍ୟାଳୟରେ ନୈତିକ ଶିକ୍ଷା ଅତ୍ୟନ୍ତ ଉପାଦୟ ଗୀତାର ପଠନର ବ୍ୟବସ୍ଥା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ । ଆମ ଦେଶର ଗରିବ ଓ ମଧ୍ୟବିତ୍ତ ବ୍ୟକ୍ତି ସମସ୍ତ ନିତ୍ୟ ବ୍ୟବହାର କରୁଥିବା ସାମଗ୍ରୀ ଯେପରି ସାମାନ୍ୟ ଛୁଞ୍ଚି ଠୁ ଆରମ୍ଭ କରି ଫ୍ରିଜ ପ୍ରର୍ଯ୍ୟନ୍ତ ଜିଏସ୍ଟି ଆକାରରେ ସରକାର କୋଟି କୋଟି ଟଙ୍କା ଆଦାୟ କରୁଛନ୍ତି । ଟୋଲଟାକ୍ସରେ ଅନେକ ରାଜସ୍ୱ ସରକାର କମାଉଛନ୍ତି । ଗୋଟିଏ ସାଧାରଣ ଗରିବ, ମଧ୍ୟବିତ୍ତ ପରିବାର ପାଇଁ ଏହା “ବୋଝ ଉପରେ ଲଳିତା ବିଡା ସଦୃଶ ” ବର୍ତ୍ତମାନ ସମୟରେ ପନିପରିବା ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ବୃଦ୍ଧି ସାଧାରଣ ଗରିବ ମଧ୍ୟବିତ୍ତ ବ୍ୟକ୍ତିଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ନିଜର ଗୁଜୁରାଣ ମେଟାଇବା ପାଇଁ ସେମାନେ ରାତିଦିନ ସଂଘର୍ଷ କରୁଛନ୍ତି ଏବଂ ଯେଉଁମାନେ କ୍ୟାନସର ଡାଇବେଟିସ, ହାର୍ଟ ଆଟାକ ପରି ଭୟଙ୍କର ରୋଗରେ ପୀଡିତ ସେମାନଙ୍କ ସମସ୍ତ ଝାଳବୁହା କଷ୍ଟ ଉପାର୍ଜିତ ଅର୍ଥ ବିନିଯୋଗ ହେଉଛି ମେଡ଼ିସିନ ଏବଂ ମେଡିକାଲ ଟେଷ୍ଟରେ । ସେଥିପାଇଁ ଅନେକ ସାଧାରଣ ବ୍ୟକ୍ତି ଋଣ ଭାରରେ ଭାରାକ୍ରାନ୍ତ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ୍ୟ ହେଉଛନ୍ତି । ଏଥିପାଇଁ ଆମ ସରକାରୀ କଳ ଏବଂ ଜଟିଳ ବ୍ୟବସ୍ଥା ଦାୟୀ । ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ୪କୋଟି ଶିଶୁ କ୍ଷୁଧା କବଳରେ ପଡ଼ିବେ ବୋଲି ଆକଳନ କରିଛି ବିଲ ଆଣ୍ଡ ମେଲିଣ୍ଡା ଗଟେସ ଫାଉଣ୍ଡେସନ । ଏହି ରିପୋର୍ଟରେ କୁହାଯାଇଛି ଚାରିକୋଟି ଶିଶୁ ଖାଦ୍ୟ ପାଇଁ ସଙ୍ଘର୍ଷ କରିବେ ।
ଏଥିପାଇଁ ତୁରନ୍ତ ପଦକ୍ଷେପ ନିଆନଗଲେ ଅପପୃଷ୍ଟି ସମସ୍ୟା ଆହୁରି ସାଙ୍ଘାତିକ ହେବ । ଆମ ଦେଶର ରାଜନେତା ଗୋଟିଏ ଉଦ୍ଦେଶ୍ୟ ସାଧାରଣ ଗରିବ ମଧ୍ୟବିତ୍ତ ଅଶିକ୍ଷିତ ରହିଲେ ସେମାନଙ୍କୁ କିଛି ଲୋଭନୀୟ ମାଗଣା ଯୋଜନା, ଆଉ କିଛି ଅର୍ଥ ପ୍ରଲୋଭନ ଦେଇ ଏବଂ ଭୋଟିଙ୍ଗର ଗୋଟିଏ ଦିନ ପୂର୍ବରୁ ମଦ, ମାଂସ, ବିଭିନ୍ନ ପ୍ରସାଦନ ସାମଗ୍ରୀ, ଅଳଙ୍କାର ଇତ୍ୟାଦି ଦେଇ ସହଜରେ ଭୋଟ ହାତେଇ ପାରିବେ । ସାଧାରଣ ଗରିବ ମଧ୍ୟବିତ୍ତ ଶିକ୍ଷିତ ହେଲେ ରାଜନେତାଙ୍କ ପାଇଁ ସମସ୍ୟା ହୋଇଯିବ ଏବଂ ସେମାନଙ୍କ ଇଲେକ୍ସନରେ ଜିତିବା କଷ୍ଟସାଧ୍ୟ ହେଇଯିବ । ଏକବିଂଶ ଶତାବ୍ଦୀର ରାଜନେତାଙ୍କ ପାଖରେ ନୀତି, ନୈତିକତା, ମୂଲ୍ୟବୋଧ ଏସବୁ ନିରର୍ଥକ । ଯେକୌଣସି ଉପାୟରେ କଳେବଳେକୌଶଳେ କ୍ଷମତାହାସଲ କରିବା ସେମାନଙ୍କ ମୁଖ୍ୟଲକ୍ଷ୍ୟ ରାଜନୀତି ମୈଦାନକୁ ଆସିବା ପୂର୍ବରୁ ରାଜନେତାଙ୍କ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଏବଂ ରାଜନୀତିରେ ପ୍ରବେଶ କରି ବିଧାୟକ, ବିଧାୟିକା, ସାଂସଦ ଏବଂ ବିଭିନ୍ନ ରାଜନୈତିକ ପଦପଦବୀରେ ରହିବା ପରେ ସେମାନଙ୍କ ସମ୍ପତ୍ତି ଅହେତୁକ ବୃଦ୍ଧି ଘଟେ, ଅନେକଙ୍କ ସମ୍ପତ୍ତି ୫୦, ୧୦୦ ଗୁଣା ଏପରିକି ୩୦୦ଗୁଣାରୁ ଅଧିକ ବୃଦ୍ଧି ଘଟେ ଯାହାକି ଆମ ପରି ସାଧାରଣ ଗରିବ ମଧ୍ୟବିତ୍ତଙ୍କ କଳ୍ପନାର ବାହାରେ । ସବୁଠାରୁ ଦୁଃଖ ଓ ବିଡମ୍ବନାର ବିଷୟ ଏହିକି ଆମ ସମାଜରେ ବଡ଼ପଣ୍ଡା ବୋଲାଉଥିବା ଭିଭିଆପି ନେତା, ମନ୍ତ୍ରୀ ଅଫିସର ମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ନିଜ ବାସଭବନରେ ଏକାଧିକ ଐର ପୁରିଫାଇର ଲଗାଉଛନ୍ତି । ଏବେ ନିକଟରେ ରାଜଧାନୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିଜକୁ ପ୍ରଦୂଷଣରୁ ସୁରକ୍ଷିତ ରଖିବା ପାଇଁ ୧୫ଟି ଐର ପୁରିଫାଇର ଅର୍ଡର କରିଛନ୍ତି ଯାହାର ମୂଲ୍ୟ ୫.୫ ଲକ୍ଷରୁ ଅଧିକ । ବିଭିନ୍ନ ସ୍ୱାଧୀନ ସର୍ବେକ୍ଷଣ ସଂସ୍ଥା କରିଥିବା ରିପୋର୍ଟ ଅନୁସାରେ କେବଳ ବାୟୁ ପ୍ରଦୂଷଣ ପାଇଁ ପ୍ରତିବର୍ଷ ଆମ ଦେଶରେ ୧୮ଲକ୍ଷରୁ ଅଧିକ ନିରୀହ ବ୍ୟକ୍ତିଙ୍କ ଅକାଳ ବିୟୋଗ ଘଟୁଛି । ୨୦୨୨ ମସିହାରେ ଭାରତରେ କେବଳ ବାୟୁ ପ୍ରଦୂଷଣ ପାଇଁ ୧୭ ଲକ୍ଷରୁ ଅଧିକ ନିରୀହ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି । ତଥାପି ଆମ ସରକାର, ପ୍ରଶାସନ ପ୍ରଦୂଷଣ ଜନିତ ସମସ୍ୟାକୁ ଗୁରୁତର ଭାବେ ନେଉ ନାହାନ୍ତି । କ୍ଷମତାଲୋଭୀ ରାଜନେତା ପରସ୍ପର ଦୋଷାରୋପ କରି କାଦୁଅପିଙ୍ଗା ରାଜନୀତିରେ ନିମଗ୍ନ । ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ବିଭିନ୍ନ ଅପମିଶ୍ରିତ ରଙ୍ଗ ଓ କେମିକାଲ ବୋଳା ଖାଦ୍ୟ ଏପରିକି ଜୀବନ ରକ୍ଷାକାରୀ ମେଡ଼ିସିନକୁ ଅଧିକ ମୁନଫା କମାଇବା ପାଇଁ ନକଲି ମେଡ଼ିସିନ ବଜାରରେ ବହୁଳ ମାତ୍ରାରେ ବିକ୍ରୟ କରାଯାଉଛି । ସ୍ୱାସ୍ଥ୍ୟକର ପରିବେଶ ଏବଂ ସୁନ୍ଦର ଜଳବାୟୁ ସତେ ଯେପରି ଅନେକ ବ୍ୟକ୍ତିଙ୍କ ପାଇଁ ଏହା ସ୍ୱପ୍ନ ହେଇଗଲାଣି । ନିଜର ତେଲ ଲୁଣର ସଂସାର ଗୁଜୁରାଣ ମେଣ୍ଟାଇବା ପାଇଁ ଗରିବ ଓ ମଧ୍ୟବିତ୍ତ ପ୍ରତିଦିନ ସଂଘର୍ଷ କରୁଛନ୍ତି ଏହା ଅତ୍ୟନ୍ତ ଦୁଃଖ ଓ ବିଡମ୍ବନାର ବିଷୟ । ବିଶ୍ୱ କ୍ଷୁଧା ତାଲିକା ୨୦୨୫ ଅନୁସାରେ ଆମ ଦେଶ ଭାରତର ସ୍ଥାନ ୧୦୨ ରହିଛି । ଏହା ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଆମ ଦେଶ ତଥା ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟରୂପ ଧାରଣକରିଛି । ଅନେକ ଉଚ୍ଚଶିକ୍ଷିତ ଯୁବକ, ଯୁବତୀ ପିଅନ, କନେଷ୍ଟବଳ, ହୋମଗାର୍ଡ, ସିକ୍ୟୁରିଟି ଗାର୍ଡ ପରି ପଦବୀ ଯେଉଁଥିରେ ଶିକ୍ଷାଗତ ଯୋଗ୍ୟତା ଦଶମ ଶ୍ରେଣୀ ରହିଥାଏ ସେହି ପଦବୀ ପାଇଁ ଲକ୍ଷ ଲକ୍ଷ ଆବେଦନ ଆସୁଛି ଏବଂ ଇଛା ନଥିଲେ ମଧ୍ୟ ଅନେକ ଉଚ୍ଚଶିକ୍ଷିତ ଯୁବକ, ଯୁବତୀ ସେହି କାର୍ଯ୍ୟ କରିବା ପାଇଁ ବାଧ୍ୟ ହେଉଛନ୍ତି ନିଜର ତଥା ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ତାଙ୍କ ପାଖରେ କୌଣସି ବିକଳ୍ପ ପନ୍ଥା ନାହିଁ । ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ଆମ ରାଜ୍ୟ ଓଡିଶା ଏବେବି ଅନେକ ବ୍ୟକ୍ତି ଦାରିଦ୍ର କଷାଘାତରେ କବଳିତ । ରାଜ୍ୟରେ ବେକାରୀ ହାର ଉତ୍କଟ ଥିବାବେଳେ ରାଜ୍ୟର ଆର୍ଥକ ସ୍ଥିତି ମଧ୍ୟ ନୈରାଶ୍ୟଜନକ ରହିଛି । ରାଜ୍ୟର ପ୍ରତ୍ୟେକ ବିଭାଗ ସଚିବାଳୟଠାରୁ ଆରମ୍ଭ କରି ଶୌଚାଳୟ ଏପରିକି ବିଭିନ୍ନ ସରକାରୀ ହସ୍ପିଟାଲ ରେ ମଧ୍ୟ ଆଉଟସୋସିଂ ସଂସ୍ଥା ମାଧ୍ୟମରେ ଅନେକ ବ୍ୟକ୍ତି ଅତି ନଗଣ୍ୟ ଦରମାରେ କାର୍ଯ୍ୟ କରୁଛନ୍ତି । ତାଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି । ଏପରି ସ୍ଥିତିରେ ଓଡିଶାର ବିଧାୟକ, ନେତା, ମନ୍ତ୍ରୀ ମାନଙ୍କର ମାତ୍ରାଧିକ ଦରମା ୩ଗୁଣା ବୃଦ୍ଧି, ଗରିବ ମଧ୍ୟବିତ୍ତଙ୍କ ପ୍ରତି ଉପହାସ କରିବା ସହିତ ସମାନ । ଏହି ଦରମା ବୃଦ୍ଧି କଦାପି ଗ୍ରହଣୀୟ ନୁହଁ ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ବିଡମ୍ବନାର ବିଷୟ । ଇନ୍ଦିରାଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଆମ ଦେଶରେ ଆପତକାଳ ଘୋଷଣା କରାଯାଇଥିଲା । ଏହି ସମୟକୁ ଗଣତନ୍ତ୍ରର କଳାଦିବସ ଭାବେ ବିବେଚନା କରାଯାଏ । ସରକାରଙ୍କ ଏକଛତ୍ରବାଦୀ ନୀତିକୁ ସମାଲୋଚନା କରୁଥିବା ଅନେକ ସ୍ୱେଚ୍ଛାସେବୀ, ବିରୋଧୀ ଦଳ ନେତା, ସାମ୍ବାଦିକ ମାନଙ୍କୁ ବନ୍ଦୀ କରାଯାଇ କାରାଗାରରେ ରଖାଯାଇଥିଲା । ସେହି ସମୟରେ ୨୦୦ରୁ ଅଧିକ ସାମ୍ବାଦିକଙ୍କୁ କରାଗାରରେ ରଖାଯାଇଥିଲା । ଇଂରାଜୀ ଦୈନିକ ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସ ଇନ୍ଦିରାଗାନ୍ଧୀଙ୍କ ଏକଛତ୍ରବାଦୀ ନୀତି ଏବଂ ଅପାତକାଳକୁ ବିରୋଧ କରି ୧୯୭୫ ମସିହା ଜୁନ୨୫ ତାରିଖରେ ତାର ସମ୍ପାଦକୀୟ ପୃଷ୍ଠାକୁ ଖାଲି ରଖିଥିଲା । ଏହିପରି ଅନେକ ଘଟଣାରେ ଇନ୍ଦିରାଗାନ୍ଧୀଙ୍କ ବିରୁଦ୍ଧରେ ସାଧାରଣ ଜନତାଙ୍କ ବିଦ୍ରୋହର ସ୍ୱର ପ୍ରଖର ହୋଇଥିଲା ଏବଂ ନିରୀହ ଜନସାଧାରଣଙ୍କ ମନରେ ଅସନ୍ତୋଷର ବହ୍ନି ପ୍ରଜ୍ୱଳିତ ହୋଇଥିଲା । ସେଥିପାଇଁ ମହାନ ଜନନାୟକ ସ୍ୱାଧୀନତା ସଂଗ୍ରାମୀ ସତ୍ୟ ଅହିଂସାର ପୂଜାରୀ ଜାତିର ପିତା ମହାତ୍ମାଗାନ୍ଧୀ କହିଛନ୍ତି ଶୋଷଣକାରୀ ମାନେ ଯେବେ ସଂଗ୍ରାମୀକୁ ଲୋଭ ଦେଖାଇ କିଣିନପାରନ୍ତି, ସେତେବେଳେ ଯନ୍ତ୍ରଣା ଦେଇ ମୁହଁ ବନ୍ଦ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ସତ୍ୟର ଏକ ଚମତ୍କାର ଶକ୍ତି ଅଛି ଏହାକୁ ହଇରାଣ କରାଯାଇପାରିବ କିନ୍ତୁ ପରାଜିତ ନୁହଁ । ଆମ ଦେଶର ଜାତୀୟ ପିତା ସତ୍ୟ ଓ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ରାମରାଜ୍ୟର ପରିକଳ୍ପନା ସେତେବେଳେ ସମ୍ଭବ ହେବ ଯେତେବେଳେ ଆମ ଦେଶର ରାଜନେତା ପରସ୍ପର କାଦୁଅଫିଙ୍ଗା ରାଜନୀତିରୁ ବିରତ ରହି ରାଷ୍ଟ୍ରର ଉନ୍ନତି ପାଇଁ ଆପ୍ରାଣ ଉଦ୍ୟମ କରିବେ । ଯେତେବେଳେ ସମସ୍ତ ଗରିବ, ସାଧାରଣ ମଧ୍ୟବିତ୍ତ ପରିବାରମାନଙ୍କୁ ନ୍ୟାୟ ମିଳିବ ଏବଂ ସେମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା, ଉଚ୍ଚକୋଟିର ଶିକ୍ଷା, ଉତ୍ତମ ପୃଷ୍ଟିକର ଖାଦ୍ୟ, କର୍ମନିଯୁକ୍ତିର ସୁଯୋଗ ସରକାରୀ ଏବଂ ବେସରକାରୀ ପ୍ରକ୍ରିୟାରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ରସରକାର ମିଳିତ ଉଦ୍ୟମରେ କାର୍ଯ୍ୟକରିବେ । ଏହା ସମସ୍ତଙ୍କ ମିଳିତ ସହଯୋଗରେ ସମ୍ଭବ ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ । ଭୋଟ ବ୍ୟାଙ୍କ ଏବଂ କାଦୁଅ ପିଙ୍ଗା ରାଜନୀତିରୁ ଦୁରେଇ ରହି ନିଜର ଦଳୀୟ ସ୍ୱାର୍ଥ ଅପେକ୍ଷା ଆମ ରାଷ୍ଟ୍ରର ହିତ ତଥା ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟରୁ ବଞ୍ଚିତ ହେଉଥିବା ଗରିବ ଓ ମଧ୍ୟ୍ୟବିତ୍ତ ଲୋକଙ୍କ ଅଧିକାର ପାଇଁ ସବୁ ରାଜନେତାଙ୍କୁ ଲଢେଇ କରିବାକୁ ପଡିବ । ସମସ୍ତଙ୍କ ମିଳିତ ସହଯୋଗରେ ଆମ ଦେବଭୂମି, ମାତୃଭୂମି, ପୁଣ୍ୟଭୂମି ଭାରତର ସର୍ବାଙ୍ଗୀନ ବିକାଶ ହୋଇପାରିବ ଏବଂ ଅନ୍ୟ ରାଷ୍ଟ୍ର ପାଇଁ ଉଦାହରଣ ସୃଷ୍ଟି କରିବ ଏଥିରେ ସନ୍ଦେହର ଅବକାଶ ନାହିଁ ।
ଆଶୁତୋଷ ନାୟକ