
- ଶ୍ୱଶୁର ଘରେ ବଡ ପୁଅକୁ ଛାଡି ଫେରୁଥିବା ଦୁର୍ଘଟଣା
- ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଫେରାର
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା -ଖଡ଼ିଆଳ ୫୯ ନମ୍ବର ଜାତୀୟ ରାଜପଥ ବୋରୋବାହାଲ ଗାଁ ବୁଲାଣି ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କପିଲାଭଟା ପଞ୍ଚାୟତ ଅଧିନସ୍ଥ ବରତୁଣ୍ଡା ଗାଁର ଦୁଃଖୀ ଭୋଇ (୩୮) ମୁରିବାହାଲ ବ୍ଲକ ସିଙ୍ଘପାଲି ଗାଁ ଶ୍ୱଶୁର ଘରକୁ ନିଜ ବାଇକ ନଂ (ଓଡ଼ି ୦୩ ଏସ୍ ୦୮୪୮)ଯୋଗେ ନିଜ ବଡ଼ପୁଅକୁ ଛାଡି ନିଜ ଗାଁ ବରତୁଣ୍ଡାକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ଗାଡି ନଂ (ସିଜି ୦୪ଏମ୍ ଜେ୫୦୭୭) ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଅଗ୍ନିଶମ ବିଭାଗ ଗାଡିରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ପରିବାରରେ ବୃଦ୍ଧ ବାପା ମାଆ ସହ ସ୍ତ୍ରୀ କବିତା ଭୋଇ ଓ ପୁଅ ଇହାନ ଭୋଇ (୪), ରିହାନ(୧), ହିମାଶୁଂ (୪ମାସ) ବେସାହାରା ହୋଇଯାଇଛନ୍ତି । ତୁରନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ ଓ ଟ୍ରକକୁ ଜବତ କରି ଅଧିକ ତଦନ୍ତ କରୁଛି । ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି ।