jayashree

ଏନ୍‌ଆଇଟି ରାଉରକେଲାରେ ଭାରତ-ଶ୍ରୀଲଙ୍କା ୭ ଦିନିଆ କର୍ମଶାଳା, ଖାଦ୍ୟ ଅପଚୟ ହ୍ରାସ ଉପରେ ଗୁରୁତ୍ୱ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲାର ଏନ୍‌ଆଇଟିରେ ଖାଦ୍ୟ ଅପଚୟ ହ୍ରାସ ଓ ଏହାର ମୂଲ୍ୟାଙ୍କନ ପାଇଁ ଉନ୍ନତ ପ୍ରଯୁକ୍ତି ଉପରେ ସାତ ଦିନିଆ ଭାରତ-ଶ୍ରୀଲଙ୍କା କର୍ମଶାଳା ଅନୁଷ୍ଠିତ ହୋଇଛି । ସେପ୍ଟେମ୍ବର ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ଏନ୍‌ଆଇଟି ରାଉରକେଲାର ଖାଦ୍ୟ ପ୍ରକ୍ରିୟା ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ପ୍ରାୟୋଜନରେ ଏବଂ ଶ୍ରୀଲଙ୍କାର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟର ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ଦୁଇ ଦେଶର ବିଶେଷଜ୍ଞ, ଗବେଷକ, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଖାଦ୍ୟ ଅପଚୟକୁ କମାଇବା, ଶୂନ୍ୟ-ଅବର୍ଜନା ଖାଦ୍ୟ ଉତ୍ପାଦନ, ସ୍ଥାୟୀ ପ୍ୟାକେଜିଂ, ଖାଦ୍ୟ ଉପାଦାନର ପୁନରୁଦ୍ଧାର, ସବୁଜ ପ୍ରଯୁକ୍ତି ଏବଂ ଶିଳ୍ପ ଅପଚୟରୁ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ଭଳି ବିଷୟ ଉପରେ ବୈଷୟିକ ଆଲୋଚନା ହୋଇଥିଲା । ଏନ୍‌ଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ କହିଥିଲେ, ଏଭଳି କର୍ମଶାଳା ଗବେଷକ ଓ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଆଦାନପ୍ରଦାନ ସହ ନୂଆ ପ୍ରଯୁକ୍ତି ଓ ଶୈକ୍ଷିକ ସହଯୋଗର ସୁଯୋଗ ଦେଇଥାଏ । କର୍ମଶାଳାରେ ଏନ୍‌ଆଇଟି ରାଉରକେଲା ସମେତ ବିଭିନ୍ନ ଆଇଆଇଟି, ନିଫ୍ଟେମ୍ ଓ ଆଇସିଏଆର୍‌ର ବିଶେଷଜ୍ଞମାନେ ଯୋଗଦେଇଥିଲେ । ଏଥିସହ ଅଂଶଗ୍ରହଣକାରୀମାନେ ଏନ୍‌ଆଇଟିର କେନ୍ଦ୍ରୀୟ ଗବେଷଣା ସୁବିଧା ଓ ବିଭିନ୍ନ ପରୀକ୍ଷାଗାର ପରିଦର୍ଶନ କରି ଉନ୍ନତ ଗବେଷଣା ପ୍ରଯୁକ୍ତି ସମ୍ପର୍କରେ ଅବଗତ ହୋଇଥିଲେ । ଏହି କର୍ମଶାଳା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସ୍ଥାୟୀ ଖାଦ୍ୟ ପ୍ରକ୍ରିୟାକରଣ, ଅପଚୟର ସଦୁପଯୋଗ ଓ ମିଳିତ ଗବେଷଣା କ୍ଷେତ୍ରରେ ନୂଆ ସହଯୋଗର ଦ୍ୱାର ଖୋଲିଥିବା ଆୟୋଜକମାନେ କହିଛନ୍ତି ।

Leave A Reply

Your email address will not be published.