jayashree

ପୂର୍ବତନ ବିଜେଡି ବ୍ଲକ ସଭାପତିଙ୍କ ବିୟୋଗରେ କଲମପୁର ଅଞ୍ଚଳରେ ଶୋକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ପୂର୍ବତନ କଲମପୁର ବ୍ଲକ ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ତଥା ଧର୍ମଗଡ଼ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓଙ୍କ ପ୍ରତିନିଧି ପ୍ରଦୀପ କୁମାର ବେହେରାଙ୍କ ବିୟୋଗରେ କଲମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମଙ୍ଗଳବାର ରାତିରେ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଥିଲା । ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ । ସେ ଜଣେ ସୁସଂଗଠକ ଭାବେ କଲମପୁର ଅଞ୍ଚଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ବ୍ଲକର ବିକାଶ ଓ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ ତାଙ୍କର ଯୋଗଦାନ ରହିଥିଲା । ମେଳାପୀ ଓ ମିଷ୍ଟଭାଷୀ ସ୍ୱଭାବ ଯୋଗୁଁ ସେ ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ଲୋକପ୍ରିୟ ଥିଲେ । ବୁଧବାର ତାଙ୍କ ମରଶରୀର ଜନ୍ମମାଟି ମଣ୍ଡଳରେ ପହଞ୍ଚିବା ପରେ ଶେଷ ଦର୍ଶନ ପାଇଁ ବହୁ ଲୋକଙ୍କ ଭିଡ଼ ଜମିଥିଲା । ପରିବାର ବର୍ଗଙ୍କ ଉପସ୍ଥିତିରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଧାଂଶୁ ପଣ୍ଡା, ବିପିନ ପ୍ରଧାନୀଙ୍କ ସମେତ ବହୁ ରାଜନୈତିକ ବ୍ୟକ୍ତି, ସାମ୍ବାଦିକ, ସମ୍ପର୍କୀୟ, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ତାଙ୍କ ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ଚାଷଜମିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ପ୍ରଦୀପ ବେହେରାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ କଲମପୁର ଅଞ୍ଚଳରେ ଶୋକ ପ୍ରକାଶ ପାଇଛି । ତାଙ୍କ ବିୟୋଗରେ ରାଜନୈତିକ ଓ ସାମାଜିକ କ୍ଷେତ୍ରର ବହୁ ବ୍ୟକ୍ତି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.