jayashree

ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ ରାୟଗଡ଼ା ଜିଲ୍ଲାର ମୁନିଗୁଡା ଅଞ୍ଚଳ

ମୁନିଗୁଡା, (ରମାକାନ୍ତ ପଡାଲ) : ବିଭିନ୍ନ ପଞ୍ଚାୟତରେ ଘର ଭୁଷୁଡ଼ି ପଡ଼ିଥିବା ବେଳେ, ମୁନିଗୁଡା ସଦର ମହକୁମାରେ ବର୍ଷାଜଳ ନିଷ୍କାସନ ନହୋଇ ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି । ମୁନିଗୁଡା ବ୍ଲକ କାର୍ଯ୍ୟାଳୟର ଚିତ୍ର ମଧ୍ୟ ଚିନ୍ତାଜନକ । ବର୍ଷା ହେଲେ ବ୍ଲକ କାର୍ଯ୍ୟାଳୟର ବିଭିନ୍ନ କୋଠରୀରେ ପାଣି ପଶୁଥିବା ଅଭିଯୋଗ ହୋଇଛି । ଏପରିକି ବଡ଼ବାବୁଙ୍କ କୋଠରୀ ସମେତ ଅନ୍ୟ କୋଠରୀରେ ପାଣି ଜମି ରହୁଥିବାରୁ କର୍ମଚାରୀଙ୍କ ପାଇଁ ସ୍ୱାଭାବିକ ଭାବେ କାମ କରିବା କଷ୍ଟକର ହୋଇପଡ଼ିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ, ପ୍ରତିବର୍ଷ ମରାମତି କାର୍ଯ୍ୟ ହେଉଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହେଉନାହିଁ । ଫଳରେ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ମଧ୍ୟ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ମୁନିଗୁଡା ବଜାରର ମୁଖ୍ୟ ରାସ୍ତା କଡ଼ରେ ଥିବା ଦୋକାନ ଓ ଘରଗୁଡ଼ିକରେ ମଧ୍ୟ ବର୍ଷାଜଳ ପଶୁଥିବା ଅଭିଯୋଗ ହୋଇଛି । ରାସ୍ତାର ଆବର୍ଜନା ସହ ବର୍ଷାଜଳ ଘର ଭିତରକୁ ପଶି ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି । ସ୍ଥାନୀୟଙ୍କ ଅଭିଯୋଗ ଅନୁସାରେ, ଅଞ୍ଚଳରେ ଯଥେଷ୍ଟ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷାରେ ମଧ୍ୟ ଜଳ ନିଷ୍କାସନ ସମସ୍ୟା ଦେଖାଦେଉଛି । ନିର୍ମାଣ କାର୍ଯ୍ୟରେ ଦୂରଦୃଷ୍ଟିର ଅଭାବ ଏବଂ କାମର ମାନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ତେବେ ବର୍ଷା ଆସିଲେ ପ୍ରତିବର୍ଷ ଏଭଳି ସମସ୍ୟା ଦେଖାଦେଉଥିବା ବେଳେ, ସ୍ଥାୟୀ ଡ୍ରେନେଜ ବ୍ୟବସ୍ଥା କେବେ ହେବ ଏବଂ ଲୋକଙ୍କ ଦୁର୍ଦ୍ଦଶା କେବେ ଦୂର ହେବ, ତାହାକୁ ନେଇ ଉଠିଛି ପ୍ରଶ୍ନ ।

Leave A Reply

Your email address will not be published.