
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଟୁପାଉଡ଼ାର ଗ୍ରାମ ପଞ୍ଚାୟତ ସଦର ଖେଳପଡିଆଠାରେ “ଜଳ ନିରାପତ୍ତା ଓ ସରକାରୀ ଯୋଜନାଗୁଡିକର ସଫଳ ରୂପାୟନ” ନିମନ୍ତେ ଟୁପାଉଡାର ଗ୍ରାମ ପଞ୍ଚାୟତ ସ୍ତରୀୟ ଏକ ସମନ୍ୱୟ ମେଳା ଜନମୁକ୍ତି ଅନୁଷ୍ଠାନ ଓ ଗ୍ରାମ ବିକାଶ ସଂସ୍ଥାଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଅର୍ଣ୍ଣ ବାଗଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁ, ଓଡିଶା ଜୀବିକା ମିଶନର ବିପିଏମ ଡ.ଗୋପାଳ କୃଷ୍ଣ ଦୀପ, ଅତିରିକ୍ତ କୃଷି ଅଧିକାରୀ ଅବିନାଶ ପାଣିଗ୍ରାହୀ, ସ୍ୱାସ୍ଥ୍ୟ ବିଭାଗର ଏମ୍ପିଏଚ୍ଡବ୍ଲୁ ଶେଷଦେବ ବାଇ, ମାଲିଶିରା/ଲେବଡା ଗ୍ରାମ ପଞ୍ଚାୟତର ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅର୍ଜୁନ ଛୁରା, ଗ୍ରାମ ପଞ୍ଚାୟତ ସଂଯୋଜନା କମିଟିର ସଭାପତି ଉଆଁସୁ ପୁଟେଲ, ସମ୍ପାଦକ ପୀତବାସ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ । ଟୁପାଉଡାର ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମର ଗ୍ରାମ ଉନ୍ନୟନ କମିଟିର ସଦସ୍ୟ/ସଦସ୍ୟା, ୱାର୍ଡମେମ୍ୱର, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ସିଆର୍ପି, ଏମ୍ବିକେ, ଉତ୍ପାଦକ ଗୋଷ୍ଠୀର ସଦସ୍ୟା, ସ୍ୱେଚ୍ଛାସେବୀ ଓ ଅନ୍ୟାନ୍ୟ ଅଂଶୀଦାରମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁ ଜଳ ନିରାପତ୍ତା ଓ ସରକାରୀ ଯୋଜନାଗୁଡିକର ସଫଳ ରୂପାୟନ ନିମନ୍ତେ ଗ୍ରାମ ପଞ୍ଚାୟତସ୍ତରୀୟ ସମନ୍ୱୟ ମେଳାର ଉଦ୍ଦେଶ୍ୟ, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଗ୍ରାମ ପଞ୍ଚାୟତର ଭୂମିକା, ଗ୍ରାମ ଓ ଗ୍ରାମ ପଞ୍ଚାୟତସ୍ତରୀୟ ଯୋଜନା ପ୍ରସ୍ତୁତି ଓ ପାରଦର୍ଶୀ କ୍ରିୟାନ୍ଵୟନ ନିମନ୍ତେ ଜନ ସହଭଗୀତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ମରୁଡି ଓ ଶୁଷ୍କ ଅଞ୍ଚଳରେ ଜଳ ସୁରକ୍ଷାକୁ ସୁଦୃଢ କରିବା ସହ ବିଭିନ୍ନ ସରକାରୀ ଯୋଜନା ଓ ଜୀବିକାର ଉନ୍ନତି ପାଇଁ ସରକାରୀ ବିଭାଗ ସମୂହଙ୍କ ମାଧ୍ୟମରେ ସମନ୍ୱୟର ଆବଶ୍ୟକତା ଉପରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଗ୍ରାମ ପଞ୍ଚାୟତ ସଂଯୋଜନା କମିଟି ଟୁପାଉଡାର ପ୍ରାଧାନ୍ୟତା ଭିତ୍ତିରେ ତାଙ୍କ ଯୋଜନାଗୁଡିକୁ କର୍ମଶାଳାରେ ଉପସ୍ଥାପନା କରିଥିଲେ । ବିଭିନ୍ନ ବିଭାଗର ପ୍ରତିନିଧିମାନେ ସମ୍ପୃକ୍ତ ସରକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ଅବଗତ କରାଇବା ସହ ଆବଶ୍ୟକ ସହଯୋଗ ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଥିଲେ । ବିଭିନ୍ନ ଗ୍ରାମରୁ ଆସିଥିବା ଦାବିଗୁଡିକୁ ସରପଞ୍ଚ ତଥା କର୍ମଶାଳାର ସଭାପତିଙ୍କ ମାଧ୍ୟମରେ ବିଭାଗୀୟ ଅଧିକାରୀମାନଙ୍କଠାରେ ଉପସ୍ଥାପନ କରି ଏହାର ମଞ୍ଜୁରୀ ଓ ସଫଳ ରୂପାୟନ ନିମନ୍ତେ ଅନୁରୋଧ କରାଯାଇଥିଲା । ବିଜେପି ଜିଲ୍ଲା ସଭାପତି ଶ୍ରୀ ବେହେରା ଦାବି କରାଯାଇଥିବା ସମସ୍ତ କାର୍ଯ୍ୟକୁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ତଥା ସାଂସଦ ଓ ବିଧାୟକଙ୍କ ଜରିଆରେ ଏହି ଯୋଜନା ଗୁଡିକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ଆଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରାଇବା ପାଇଁ ତାଙ୍କ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଜନମୁକ୍ତି ଅନୁଷ୍ଠାନ ଦ୍ୱାରା ପରିଚାଳିତ ଏପିସି ପ୍ରକଳ୍ପ ଦ୍ୱାରା ଅଗ୍ରଣୀ ଚାଷୀ ଓ କୃଷି ଉଦ୍ୟୋଗୀ ମାନଙ୍କର, ସ୍ୱାସ୍ଥ୍ୟ ବିଭାଗ, ସ୍ୱୟଂ ସହାୟିକା ଗୋଷ୍ଠୀର ଷ୍ଟଲ ଓ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସେବା ଯୋଗାଇ ଦିଆଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ସଞ୍ଜୀବ କୁମାର ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ ଜନମୁକ୍ତି ଅନୁଷ୍ଠାନର ସମସ୍ତ କର୍ମୀ ସ୍ୱେଚ୍ଛାସେବୀ ଓ ଗ୍ରାମ ପଞ୍ଚାୟତ ସଂଯୋଜନା କମିଟି, ଗ୍ରାମ ବିକାଶ ସଂସ୍ଥାରୁ ଆସିଥିବା ଅନିରୁଦ୍ଧ ପ୍ରମାଣିକ ଓ ଗୌତମ ଚନ୍ଦ୍ର ରାଉତ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଅତିଥି ଓ ଅଂଶ ଗ୍ରହଣକାରୀ ମାନଙ୍କୁ ଦେବକାନ୍ତି ଲୁହା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଗ୍ରାମ ପଞ୍ଚାୟତ ସଂଯୋଜନା କମିଟିର ସଭାପତି ଉଆଁସୁ ପୁଟେଲ ସଭା ସାଙ୍ଗ କରିଥିଲେ ।