jayashree

ବେଟି ବଚାଓ ବେଟି ପଢ଼ାଓ ଯୋଜନାରେ ମୁରିବାହାଲ ବ୍ଲକସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ବେଟି ବଚାଓ ବେଟି ପଢ଼ାଓ ଯୋଜନା ଅନ୍ତର୍ଗତ ବ୍ଲକସ୍ତରୀୟ ଯୁବ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ଶିଶୁ ବିକାଶ ବିଭାଗ ଅଧିକାରିଣୀ ସୁଶ୍ରୀ ପୂର୍ଣ୍ଣିମା ବୈଠାରୁ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟାପକ ଗୁଣସାଗର ମେହେର, ସୋମେଶଦତ୍ତ ହୋତା, ଘନଶ୍ୟାମ ଖମାରୀ, ଭିଙ୍ଗରାଜ ରଣା ଓ ବିକ୍ରମ ତାଣ୍ଡି ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମରେ ବାଳିକା ଶିକ୍ଷା, ମହିଳା ସଶକ୍ତିକରଣ, ମହିଳାଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବେଟି ବଚାଓ ବେଟି ପଢ଼ାଓ ଯୋଜନାର ଉଦ୍ଦେଶ୍ୟ ଏବଂ ସମାଜରେ ଝିଅମାନଙ୍କ ଶିକ୍ଷା ଓ ସୁରକ୍ଷାର ଗୁରୁତ୍ୱ ଉପରେ ଅତିଥିମାନେ ନିଜ ମତାମତ ପ୍ରଦାନ କରିଥିଲେ । ଏହି ଅବସରରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ଛନ୍ଦାଚରଣ ଖୁଣ୍ଟିଆଙ୍କ ଦ୍ୱାରା ଉପସ୍ଥିତ ଛାତ୍ରଛାତ୍ରୀମାନେ ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କିତ ଶପଥ ଗ୍ରହଣ କରିଥିଲେ । ଯୁବ ସମ୍ମିଳନୀକୁ ଅଧିକ ଆକର୍ଷଣୀୟ ଓ ସଚେତନତାମୂଳକ କରିବା ପାଇଁ ଷ୍ଟ୍ରିଟ୍ ଥିଏଟର, ବିତର୍କ ପ୍ରତିଯୋଗିତା, କୁଇଜ୍ ପ୍ରତିଯୋଗିତା ଏବଂ ପୋଷ୍ଟର ମେକିଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାଗୁଡ଼ିକରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ବର୍ଷା କର୍ମୀ, ରସିନା ବାଗ, ଝରଣା ମହତ, ଯାଜ୍ଞସେନୀ ରଣା, ଶିବାନୀ ଭୋଇ, କିରଣ ହାତୀ, ତ୍ରିବେଣୀ ମାହାର, ରିୟା ଛୁରା, ବିଜୟ ମହାନନ୍ଦ, ଶ୍ରିୟା ରଣା ଓ ଚୂଡ଼ାମଣି ରଣା ବିଭିନ୍ନ ସ୍ଥାନ ଅଧିକାର କରି କୃତିତ୍ୱ ଅର୍ଜନ କରିଥିଲେ ଏବଂ ପୁରସ୍କୃତ ହୋଇଥିଲେ । ସଭା ପରିଚାଳନା କରିଥିଲେ ଅର୍ଥନୀତି ବିଭାଗର ଅଧ୍ୟାପକ ପ୍ରେମଚାନ୍ଦ ତାଣ୍ଡି । କାର୍ଯ୍ୟକ୍ରମରେ +୨ ଏବଂ +୩ ମହାବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଝିଅମାନଙ୍କ ଶିକ୍ଷା, ସମାନତା, ଏକ ସୁସ୍ଥ ଓ ସମାନତାଭିତ୍ତିକ ସମାଜ ଗଠନ ପାଇଁ ଏହି ଯୁବ ସମ୍ମିଳନୀ ଏକ ସଚେତନତାମୂଳକ ପଦକ୍ଷେପ ଭାବେ ପରିଗଣିତ ହୋଇଛି ।

Leave A Reply

Your email address will not be published.