
ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଵଚ୍ଛତା ହିଁ ସେବା ଅଭିଯାନରେ ରାଉରକେଲା ମହାନଗର ନିଗମ ତରଫରୁ ଆଜି ସ୍ଵଚ୍ଛତାରୁ ସମୃଦ୍ଧି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବର୍ଜ୍ୟବସ୍ତୁକୁ ସଂପଦରେ ପରିଣତ କରିବା, ପୁନଃ ବ୍ୟବହାର, ପୁନଃ ଚକ୍ରଣକୁ ପ୍ରୋତ୍ସାହନ ଦେବା ସହ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଦକ୍ଷତା, କୌଶଳକୁ ପ୍ରସ୍ଫୁଟିତ କରିବା ଉଦ୍ଦେଶ୍ୟ ନେଇ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ସେମାନଙ୍କ ଅଭିନବ କଳାକୃତି ପ୍ରଦର୍ଶନ କରିଥିଲେ । ଏହି ଅବସରରେ ବର୍ଜ୍ୟରୁ ସମ୍ପଦ, ବର୍ଜ୍ୟରୁ କଳା, ପ୍ଲାଷ୍ଟିକ୍ ପୁନଃଚକ୍ରଣ ମେଳା ଏବଂ ପୁନଃବ୍ୟବହାର ଓ ପୁନଃଚକ୍ରଣ ଅଭିଯାନ ଅନୁଷ୍ଠିତ ହୋଇଥିଲା । ଏଥିରେ ଉତ୍କଳମଣି ଗୋପବନ୍ଧୁ ଯାନ୍ତ୍ରିକ ଅନୁଷ୍ଠାନ, ଏସ୍.କେ. ଡି.ଏ.ଭି ବହୁବୃତ୍ତି ଅନୁଷ୍ଠାନ, ରାଉରକେଲା ସ୍ଥିତ ସରକାରୀ ଶିଳ୍ପ ପ୍ରତିଷ୍ଠାନ ଓ ଜଗଦା ସ୍ଥିତ ଆମ୍ବେଦକର ଘରୋଇ ଶିଳ୍ପ ଅନୁଷ୍ଠାନର ପ୍ରାୟ ୯୫ ଜଣ ଛାତ୍ରଛାତ୍ରୀ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ୨୩ଟି କଳାକୃତି ପ୍ରଦର୍ଶନ କରିଥିଲେ । ଗୁଣାତ୍ମକ ମୂଲ୍ୟାଙ୍କନ ଆଧାରରେ ରାଉରକେଲା ସରକାରୀ ଶିଳ୍ପ ପ୍ରତିଷ୍ଠାନ ପ୍ରଥମ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଜଗଦା ସ୍ଥିତ ଆମ୍ବେଦକର ଘରୋଇ ଶିଳ୍ପ ପ୍ରତିଷ୍ଠାନ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲା । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ମନୋନୀତ କିଛି କଳାକୃତି ସହରର ବିଭିନ୍ନ ସ୍ଥାନରେ ସ୍ଥାପନ କରାଯିବ । ଯାହା ସହରର ସୌନ୍ଦର୍ଯ୍ୟ ବୃଦ୍ଧି ଦିଗରେ ସହାୟକ ହେବା ସହ ବର୍ଜ୍ୟବସ୍ତୁର ବହୁଳ ଅପଚୟକୁ ରୋକିବାରେ ସହାୟକ ହେବ । ଏଥିସହ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀମାନଙ୍କୁ ଆଗାମୀ ଗାନ୍ଧୀ ଜୟନ୍ତୀ ଅବସରରେ ମାନପତ୍ର ଓ ପ୍ରୋତ୍ସାହନ ରାଶି ଦିଆଯାଇ ସମ୍ମାନୀତ କରାଯିବ । ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ଶ୍ରୀମତୀ ଅନୀତା ନାଏକ, ଉପ ପୌରାୟୁକ୍ତ ତରୁଣ କାନ୍ତ, ଅଧିକ୍ଷଣ ଯନ୍ତ୍ରୀ ଶ୍ରୀଯୁକ୍ତ ବିରେନ୍ଦ୍ର ନନ୍ଦ, ଅର୍ଥ ଏବଂ ହିସାବ ଅଧିକାରୀ ଦେବରାଜ ପ୍ରଧାନ, ଅର୍ଥ ଅଧିକାରୀ ସୁଶ୍ରୀ ସ୍ଵାଗତିକା ଜେନାଙ୍କ ସହ ବୈଷୟିକ ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧ୍ୟାପକ ଓ ଆର୍ଏମ୍ସିର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।